୮ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ, ବଞ୍ଚିଗଲେ ୨୫୦ ରୋଗୀ

ପାଟନା: ଅମ୍ଳଜାନ ଅଭାବରୁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟୁଥିବାବେଳେ ବିହାରର ଜଣେ ଆଇଏଏସ୍‌ ଅଧିକାରୀ ମାତ୍ର ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ସଂଗ୍ରହ କରି ୨୫୦ ରୋଗୀଙ୍କ ଜୀବନ ରକ୍ଷା କରି ଚର୍ଚ୍ଚିତ ହୋଇଛନ୍ତି। ଏହି ଅଧିକାରୀ ହେଉଛନ୍ତି ପାଟନାଠାରୁ ୩୦୦ କିଲୋମିଟର ଦୂର ପୂର୍ଣ୍ଣିଆର ଜିଲାପାଳ ରାହୁଲ କୁମାର। ମେ’ ୧୨ ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟାରେ ସମଗ୍ର ପୂର୍ଣ୍ଣିଆକୁ ଅମ୍ଳଜାନ ଯୋଗାଉଥିବା ଏକମାତ୍ର ଅମ୍ଳଜାନ କାରଖାନା ଅଚଳ ହୋଇଯିବାରେ ଜିଲାରେ ଆତଙ୍କ ଖେଳି ଯାଇଥିଲା। ସେତେବେଳକୁ ୧୩ଟି ପ୍ରମୁଖ ଡାକ୍ତରଖାନାରେ ୨୫୦ରୁ ଅଧିକ ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସାଧୀନ ଥିଲେ। ସେମାନଙ୍କ ପାଇଁ ଅମ୍ଳଜାନ ଜରୁରୀ ଥିଲା।


ସକାଳ ୭ଟା ସୁଦ୍ଧା ରାହୁଲ ଏକ ହ୍ବାଟ୍ସଆପ୍‌ ଗୋଷ୍ଠୀ ପ୍ରସ୍ତୁତ କରି ଅମ୍ଳଜାନ ସଂଗ୍ରହ ପାଇଁ ଲାଗିପଡ଼ିଲେ। ସମସ୍ତ ସାମାଜିକ ଗଣମାଧ୍ୟମରେ ଅମ୍ଳଜାନ ସଂକ୍ରାନ୍ତ ଏସ୍‌ଓପି ପ୍ରସାରିତ ହେଲା। ଏଥିସହିତ ମାରାଙ୍ଗାସ୍ଥିତ ଏକ ଅମ୍ଳଜାନ କାରଖାନା କାର୍ଯ୍ୟକ୍ଷମ କରାଇବା ପ୍ରୟାସ ଜାରି ରହିଲା। ସୌଭାଗ୍ୟକ୍ରମେ ଏଥିରୁ ଅମ୍ଳଜାନ ଉତ୍ପାଦନ ଆରମ୍ଭ ହେଲା ଏବଂ ଅଧିକାରୀମାନେ ଅନ୍ୟ ଅଞ୍ଚଳରୁ ପ୍ରାୟ ୨୦୦ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିବାରେ ସମର୍ଥ ହେଲେ। ଏଥିପାଇଁ ଜିଲାପାଳଙ୍କର ପ୍ରାୟ ୮ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ସଫଳ ହେଲା। ଏଥିପାଇଁ ସେ ଗୋଟିଏ ମିନିଟ ନଷ୍ଟ କରି ନ ଥିଲେ; ରୋଗୀଙ୍କ ଜୀବନରକ୍ଷା ତାଙ୍କର ଉତ୍ତର ଦାୟିତ୍ବ ଥିଲା ରାହୁଲ ବୋଲି କହିଛନ୍ତି। ତାଙ୍କ ଉଦ୍ୟମରେ ୨୫୦ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିଲା ବୋଲି ଚର୍ଚ୍ଚା। ରାହୁଲ ହେଉଛନ୍ତି ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ। ସାଧାରଣ ଲୋକଙ୍କ ସହ ମିଶି ସେମାନଙ୍କ ହାନିଲାଭ ବୁଝୁଥିବା ରାହୁଲ ଖୁବ୍‌ ଲୋକପ୍ରିୟ।

Comments are closed.