’କୋରୋନା’ ଆତଙ୍କ: ଉହାନରେ ଫସିଛନ୍ତି ୨୫ ଭାରତୀୟ ଛାତ୍ରଛାତ୍ରୀ, ଚୀନରେ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

ବେଜିଂ/ନୂଆଦିଲ୍ଲୀ: ଭୟଙ୍କର ‘କୋରୋନା’ ଭାଇରସ୍‌ ଚୀନରେ ଆତଙ୍କ ସୃଷ୍ଟି କରିଥିବାବେଳେ ଶୁକ୍ରବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ଦେଶର ଉହାନ ସହରରୁ ଏହି ଭୂତାଣୁ ବ୍ୟାପିଥିବା ଜଣାପଡ଼ିବା ପରେ ସେଠାରୁ କୌଣସି ନାଗରିକ ବାହାର ସହରକୁ ନ ଯିବା ଲାଗି ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ତେବେ ଉକ୍ତ ସହରରେ ୨୫ ଭାରତୀୟ ଛାତ୍ରଛାତ୍ରୀ ଫସିରହିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରୁ ୨୦ ଜଣ କେରଳର। ଉହାନ ସହରରେ ୧ କୋଟି ୧୦ ଲକ୍ଷ ନାଗରିକ ରହୁଥିବାବେଳେ ୮୩୦ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଉହାନ ସହରରେ ଫଶିଥିବା ୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪ ଜଣ ଉହାନଠାରୁ ୩୦୦ କିଲୋମିଟର ଦୂର ୟିଚାଙ୍ଗସ୍ଥିତ ଏକ ହସ୍ପିଟାଲରେ ଇଣ୍ଟର୍ନଶିପ୍‌ କରୁଛନ୍ତି। ସେମାନେ କୁନମିଙ୍ଗ ବିମାନବନ୍ଦରରୁ ବିମାନ ଯୋଗେ କୋଲକାତା ଫେରିବାକୁ ଯୋଜନା କରୁଛନ୍ତି। ଚୀନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଚୀନରେ ରହୁଥିବା ଭାରତୀୟମାନଙ୍କ ପାଇଁ ହେଲ୍‌ପଲାଇନ୍‌ ନମ୍ବର ଜାରି କରାଯାଇଛି।

Comments are closed.