ଆଠଗଡରେ ବଢିଚାଲିଛି କରୋନା, ପୁଣି ୨୫ ଆକ୍ରାନ୍ତ ଚିହ୍ନଟ

ଆଠଗଡ : ଆଠଗଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ଶନିବାର ଓ ରବିବାର ଦୁଇ ଦିନରେ ଆଠଗଡ ଡାକ୍ତରଖାନା ଓ ବ୍ରହ୍ମପୁର ସିଏଚସିରେ ହୋଇଥିବା ପରୀକ୍ଷଣରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଆଠଗଡ ଏନଏସିର ୩ଜଣ ଓ ଗ୍ରାମାଞ୍ଚଳର ୨୨ଜଣ ରହିଛନ୍ତି। ଏହି ୨୫ଜଣଙ୍କୁ ମିଶାଇ ଏବେ ସୁଦ୍ଧା ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସାଧାରଣରେ ଅଭିଯୋଗ ହେଉଛି।

ଆଠଗଡ ଡାକ୍ତରଖାନା ଓ ବ୍ରହ୍ମପୁର ସିଏଚସି ପକ୍ଷରୁ ଆରଟିପିସିଆର ପରୀକ୍ଷା ପାଇଁ ପଠାଯାଉଥିବା ସ୍ୱାବ୍‍ ନମୁନାର ପରୀକ୍ଷଣ ରିପୋର୍ଟ ୪-୫ଦିନ ପରେ ଆସୁଛି। ଫଳରେ ଏହି ରିପୋର୍ଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ରିପୋର୍ଟ ଆସିବା ପୂର୍ବରୁ ୪-୫ଦିନ ନଜାଣିପାରି ବୁଲାବୁଲି କରୁଥିବାରୁ ତାଙ୍କ ସଂପର୍ଶରେ ଆସୁଥିବା ଲୋକ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ଆରଟିପିସିଆର ରିପୋର୍ଟ ୪୮ଘଣ୍ଟା ମଧ୍ୟରେ କାହିଁକି ଆସୁନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶନିବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ମାତ୍ର ୧୯ଜଣଙ୍କର ଆଣ୍ଟିଜେନ ପରୀକ୍ଷଣ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅର୍ଥାତ୍‍ ୧୧ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ସେହିପରି ବ୍ରହ୍ମପୁର ସିଏଚସିରେ ଶନିବାର ୫୧ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୮ଜଣ ଏବଂ ରବିବାର ୫୭ଜଣଙ୍କ ମଧ୍ୟରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଆରଟିପିସିଆର ପରୀକ୍ଷା ରିପୋର୍ଟରୁ ଆଠଗଡ ଏନଏସିରୁ ୩ ଓ ଗ୍ରାମାଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଠଗଡରୁ ଚିହ୍ନଟ ହୋଇଥିବା ଲୋକମାନଙ୍କ ମଧ୍ୟରୁ ରାଜବାଟୀନଗରର ୪୦ ବର୍ଷୀୟା ମହିଳା, ଉତ୍ତରାଚଣ୍ଡି ନିକଟରୁ ୨୫ବର୍ଷ ମହିଳା, ବାଣୀକଣ୍ଟନଗରରୁ ୭୦ବର୍ଷ ପୁରୁଷ ହୋଇଥିବାବେଳେ ଖୁଣ୍ଟୁଣୀର ୬୦ ଓ ୬୬ବର୍ଷ ବୟସ୍କ ପୁରୁଷ ଏବଂ ୩୪, ୩୨ ଓ ୧୧ବର୍ଷ ବୟସ୍କା ମହିଳା, କରିକୋଲର ୩୬ବର୍ଷିୟା ମହିଳା, ହାଉସିଂବୋର୍ଡର ୬୦ବର୍ଷ ବୟସ୍କ ପୁରୁଷ, ୨୫ବର୍ଷ ବୟସ୍କା ମହିଳା, ମେଘା ଦାଶପୁରର ୬୮ବର୍ଷ ବୟସ୍କା ମହିଳା, ପାଇକରାପୁରର ୬୩ବର୍ଷ ପୁରୁଷ, ବେଣ୍ଟପଦାର ୩୦ବର୍ଷ ପୁରୁଷ, ମାନପୁରର ୩୦ବର୍ଷ ପୁରୁଷ, ଡାଳଭାଗର ୨୯ବର୍ଷିଆ ମହିଳା, ସାରକୋଳିର ୪୮ବର୍ଷ ପୁରୁଷ, ୫୪ବର୍ଷିୟା ମହିଳା, ଘଣ୍ଟିଖାଲର ୫୧ବର୍ଷ ବୟସ୍କ ପୁରୁଷ, ୩୦ବର୍ଷିଆ ମହିଳା ଓ ମହାଳପଡାର ୩୫ବର୍ଷ ବୟସ୍କା ପୁରୁଷ ଆକ୍ରାନ୍ତ ଥିବା ଜଣାପଡିଛି। ଏହି ସମସ୍ତ ଆକ୍ରାନ୍ତଙ୍କୁ ନିଜ ଘରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯିବା ସହ ସ୍ୱାସ୍ଥକର୍ମୀ ଆବଶ୍ୟକୀୟ ଔଷଧ ଯୋଗାଇ ଦେଇଛନ୍ତି।

Comments are closed.