ଝରାଫୁଲ ମୃତ୍ୟୁକୁ ବିତିଲା ୨୪ ଦିନ, ପୁଲିସ ଚୁପ୍

ରସୁଲପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକର ମୃତ୍ୟୁ ଘଟଣା ୨୪ଦିନ ବିତିଗଲାଣି। ଏହି ମୃତ୍ୟୁ ଘଟଣାରେ ଯାଜପୁର ପୁଲିସ ସତ୍ୟ ପ୍ରକଟ ନକରି ଚୁପ ରହିବା ଘଟଣାନେଇ ଝରାଫୁଲର ବାପା ରମାକାନ୍ତ ନାୟକ ଆଶ୍ଚର୍ୟ୍ୟପ୍ରକଟ କରିଛନ୍ତି। ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶକୁ ୩ଦିନିଆ ରିମାଣ୍ଡରେ ଆଣି ତା’ଠାରୁ ତଥ୍ୟ ସଂଗ୍ରହ, ଶବ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ, ୩ଟି ସି.ସି ଟିଭି ଫୁଟେଜ, ଏସ୍ଡିପିଓଙ୍କ ଝରାଫୁଲଙ୍କ ଗ୍ରାମବାସୀଙ୍କଠାରୁ ତଥ୍ୟ ସଂଗ୍ରହ ପୁଲିସର ହାତରେ ଲାଗିବା ସତ୍ୱେ କେଉଁଥିପାଇଁ ପୁଲିସ ଚୁପ ରହିଛି ବୋଲି ରମାକାନ୍ତ ପ୍ରଶ୍ନ ଉଠାଇଛନ୍ତି।

ଏଥିସହିତ ମୟୁରଭଞ୍ଜ ଜିଲାର ସାରସକଣାଠାରେ ଘଟିଥିବା ଟ୍ରାକ୍ଟର ଦୁର୍ଘଟଣାରେ ମୃତକ ପରିବାରବର୍ଗଙ୍କୁ ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣାକୁ ରମାକାନ୍ତ ସ୍ୱାଗତ କରିଥିବାବେଳେ ଝରାଫୁଲର ମୃତ୍ୟୁ ୨୪ଦିନ ବିତିଯିବା ପରେ ମଧ୍ୟ ‘ମୋ ସରକାର’ ମୋତେ ପୁଲିସ କିପରି ବ୍ୟବହାର କରୁଛି ବୋଲି ପଚାରିବା ସହିତ ୧ରୁ ୫ମଧ୍ୟରେ କେତେ ମାର୍କ ଦେବାକୁ ମତ ଲୋଡିଛନ୍ତି। କେତେବେଳେ କହୁନାହାନ୍ତି ଯେ ମୃତ୍ୟୁର ରହସ୍ୟ ପୁଲିସ କେବେ ଖୋଲିବ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ବଜେଟ ଅଧିବେଶନ ଚାଲିଥିବା ସମୟରେ ଏହି ଘଟଣା ଉନ୍ମୋଚନ ହେବା ବାଧକ ସାଜିଛି କିମ୍ବା କୌଣସି ଚାପର ବଶବର୍ତ୍ତୀ ହୋଇ ଏହି ଘଟଣାର ରହସ୍ୟ ସାର୍ବଜନୀନ କରାଯାଉନଥିବା ଝରାଫୁଲର ବାପା ରମାକାନ୍ତ ସନ୍ଦେହ କରିଛନ୍ତି।

Comments are closed.