ଅମ୍ଳଜାନ ପହଞ୍ଚିବାରେ ହେଲା ବିଳମ୍ବ, ଚାଲିଗଲା ୨୪ ରୋଗୀଙ୍କ ଜୀବନ

ଦେଶ​‌ରେ ଅମ୍ଳଜାନ ଅଭାବରୁ ପ୍ରତିଦିନ ଅନେକ ରୋଗୀଙ୍କ ଜୀବନ ଚାଲିଯାଉଛି। କିନ୍ତୁ ଡାକ୍ତରଖାନାରେ ଅମ୍ଳଜାନ ପହଞ୍ଚିବାରେ କିଛି ସମୟ ବିଳମ୍ବ ହୋଇଯିବାରୁ ୨୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ରବିବାର ମଧ୍ୟରାତ୍ରିରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକର ଚାମରାଜନଗରରେ। ଘଟଣାର କିଛି ସମୟ ପରେ ମୈସୁରରୁ ଚାମରାଜନଗର ପାଇଁ ୨୫୦ ଅମ୍ଳଜାନ ସିଲିଣ୍ଡର ପଠାଯାଇଥିଲା।

ସୂଚନା ଅନୁସାରେ, ଚାମରାଜନଗର ଡାକ୍ତରଖାନା ପାଇଁ ବେଲ୍ଲାରୀରୁ ଅମ୍ଳଜାନ ଆସିବାର ଥିଲା। କିନ୍ତୁ ଅମ୍ଳଜାନ ପହଞ୍ଚିବାରେ ବିଳମ୍ବ ହୋଇଥିଲା, ଯାହାଦ୍ବାରା ଏତେବଡ଼ ଘଟଣା ଘଟିଯାଇଥିଲା। କୁହାଯାଉଛି ଯେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶ ଭେଣ୍ଟିଲେଟରରେ ଥିଲେ। ଅମ୍ଳଜାନ ସରିଯିବା ପରେ ସେମାନେ ଛଟପଟ ହୋଇଥିଲେ ଏବଂ କିଛି ସମୟ ମଧ୍ୟରେ ଆଖି ବୁଜିଦେଇଥିଲେ।

ଏହା ପୂର୍ବରୁ କାଲାବୁର୍ଗୀ ଅଞ୍ଚଳର କେବିଏନ ହସ୍ପିଟରେ ଅମ୍ଳଜାନ ଅଭାବରୁ ୪ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ୟଦଗିର ସରକାରୀ ଡାକ୍ତରଖାନାରେ ବିଦ୍ୟୁତ ଚାଲିଯିବାରୁ ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ପ୍ରାଣ ହରାଇଥିଲେ। ଗତ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟିଥିଲା।

Comments are closed.