୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ କ୍ରିକେଟ ; ଛତିଶଗଡ଼କୁ ହରାଇଲା ଓଡ଼ିଶା

କଟକ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଚାଲିଥିବା ବିସିସିଆଇ ୨୩ ବର୍ଷରୁ କମ୍ ମହିଳା ଟ୍ବେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ୨ୟ ମ୍ୟାଚ୍‌ରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା ଦଳ। ବୁଧବାର ଖେଳା ଯାଇଥିବା ଗ୍ରୁପ୍ ‘ଡି’ର ଏହି ମ୍ୟାଚ୍‌ରେ ଛତିଶଗଡ଼କୁ ଓଡ଼ିଶା ୧୯ ରନ୍‌ରେ ପରାସ୍ତ କରିଛି। ଶୁଭ୍ରା ନିର୍ଝରିଣୀ ସ୍ବାଇଁଙ୍କ ୪୦ ଓ କାଜଲ ଜେନାଙ୍କ ୩୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଓଡ଼ିଶା ୨୦ ଓଭରରେ ୮ ୱିକେଟ ହରାଇ ୧୨୩ ରନ୍ କରିଥିଲା। ପରେ ଛତିଶଗଡ଼ ୨୦ ଓଭର ଶେଷରେ ୭ ୱିକେଟ ହରାଇ ୧୦୪ ରନ୍ କରି ପାରିଥିଲା। ଏହି ବିଜୟରୁ ୪ ପଏଣ୍ଟ ପାଇ ଓଡ଼ିଶା ତା’ର ପଏଣ୍ଟ ଖାତା ଖୋଲିପାରିଛି। ଶୁକ୍ରବାର ଗୋଆ ବିପକ୍ଷରେ ଓଡ଼ିଶା ୩ୟ ଲିଗ୍ ମ୍ୟାଚ୍ ଖେଳିବ।
ଟସ୍ ଜିତି ଓଡ଼ିଶା ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। କାଜଲ ଜେନା ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ସାଢ଼େ ୪ ଓଭରର ପ୍ରଥମ ୱିକେଟ ଭାଗିଦାରୀରେ ଓଡ଼ିଶା ୪୦ ରନ୍ କରିଥିଲା। କାଜଲ ଜେନା ୧୯ ବଲ୍‌ରୁ ୭ଟି ଚୌକା ସହ ୩୦ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ପରେ ଅଧିନାୟିକା ଅଞ୍ଜଳି ସିଂହ ୧୪ ବଲ୍‌ରୁ ୨ଟି ଚୌକା ସହ ୧୬ ରନ୍ କରିଥିଲେ। ରାଣୀ ଟୁଡୁ ୩ ରନ୍‌କରି ବିଦାୟ ନେଇଥିଲେ। ୫୬ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ଶୁଭ୍ରା ନିର୍ଝରିଣୀ ସ୍ବାଇଁ ଓ ସଂଗୀତା ଖାଡ଼ିଆ ୨୭ ରନ୍ ଯୋଡ଼ିଥିଲେ। ସଂଗୀତା ୧୨ ରନ୍ କରିଥିଲେ। ଶୁଭ୍ରା ସ୍ବାଇଁ ୪୬ ବଲ୍‌ରୁ ୫ଟି ଚୌକା ସହ ୪୦ ରନ୍ କରିଥିଲେ। ୮ ରନ୍‌ରେ ଓଡ଼ିଶା ଶେଷ ୪ଟି ୱିକେଟ ହରାଇଥିଲା। ଛତିଶଗଡ଼ର ଦେବିକା ବୈଦ୍ୟ ୩ଟି ଓ ଶିବାନୀ ଯାଦବ ୨ଟି ୱିକେଟ ନେଇଥିଲେ। ୧୨୪ ରନ୍‌ର ବିଜୟଲକ୍ଷ୍ୟ ନେଇ ଇନିଂସ ଆରମ୍ଭ କରିଥିବା ଛତିଶଗଡ଼ ୧୨ ରନ୍‌ରେ ୨ଟି ୱିକେଟ ହରାଇଥିଲା। ୩ୟ ୱିକେଟ ପାଇଁ ମନପ୍ରୀତ କୌର ଓ ଯାଶି ପାଣ୍ଡେ ୪୩ ରନ୍ ଯୋଡ଼ିଥିଲେ। ମନପ୍ରୀତ ୩୯ ବଲ୍‌ରୁ ୨ଟି ଚୌକା ସହ ୩୨ ରନ୍ ଏବଂ ୟାଶି ପାଣ୍ଡେ ୨୩ ବଲ୍‌ରୁ ୪ଟି ଚୌକା ସହ ୨୬ ରନ୍ କରିଥିଲେ। ପରବର୍ତ୍ତୀ ୨୧ ରନ୍‌ରେ ଛତିଶଗଡ଼ ୪ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ଓଡ଼ିଶାର ଲୁଇସା ଦାସ ୨ଟି ଏବଂ ତରନ୍ନା ପ୍ରଧାନ, ନିବେଦିତା ନାଏକ ଓ ଅଞ୍ଜଳି ସିଂହ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.