ସାଇବର ଅପରାଧୀଙ୍କ ‘ଡ଼ାର୍କ ୱେବ’ରେ ଟିକଟକ୍, ଇନଷ୍ଟାଗ୍ରାମ, ୟୁ-ଟ୍ୟୁବର ୨୩ କୋଟି ୟୁଜର୍ସଙ୍କ ଡ଼ାଟା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ, ଟିକଟକ ଓ ୟୁଟ୍ୟୁବର ପ୍ରାୟ ୨୩.୫ କୋଟି ବ୍ୟବହାରକାରୀ (ୟୁଜର୍ସ)ଙ୍କ ବ୍ୟକ୍ତିଗତ ପ୍ରୋଫାଇଲ ଡ଼ାଟା ଲିକ୍ ହୋଇଛି । ସମ୍ପୂର୍ଣ୍ଣ ଡ଼ାଟା ସାଇବର ଅପରାଧୀମାନଙ୍କ ଡ଼ାଟାବେସ ‘ଡ଼ାର୍କୱେବ’ରେ ଅପଲୋଡ଼ ହୋଇଯାଇଛି । ଏହାକୁ ନେଇ ସାଇବର ଜଗତରେ ହଲଚଲ ସୃଷ୍ଟି ହୋଇଛି । ବ୍ରିଟେନସ୍ଥିତ ଏକ ଗବେଷଣା ସଂସ୍ଥା ‘କମ୍ପେରେିଟେକ୍’ ସୂଚନା ଅନୁସାରେ ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି ଓ ଅସୁରକ୍ଷିତ ଡ଼ାଟାକୁ ଡ଼ାର୍କୱେବରେ ସାଇବର ଅପରାଧୀମାନେ ସଂରକ୍ଷିତ ରଖିଛନ୍ତି । ଫେସବୁକ୍ ସଂସ୍ଥା ଇନଷ୍ଟାଗ୍ରାମକୁ ପରିଚାଳନା କରୁଥିବାବେଳେ ଗୁଗଲ୍ ‘ୟୁଟ୍ୟୁବ୍’କୁ ପରିଚାଳନା କରୁଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଲିକ୍ ହୋଇଥିବା ଡ଼ାଟା ଅଲଗା ଅଲଗା ଡ଼ାଟା ସେଟିଂରେ ପହଞ୍ଚିଛି ଏବଂ ଏହାମଧ୍ୟରୁ ପ୍ରାୟ ୧୦ କୋଟି ୟୁଜର୍ସଙ୍କ ନିର୍ଦିଷ୍ଟ ଡ଼ାଟା ସେଟରେ ରହିଛି । ଯେଉଁ ଡ଼ାଟା ଲିକ୍ ହୋଇଛି ସେଥିମଧ୍ୟରୁକେବଳ ୪.୨ କୋଟି ଡ଼ାଟା ଟିକଟକ୍ ବ୍ୟବହାରକାରୀଙ୍କର ଓ ୪୦ ଲକ୍ଷ ୟୁଟ୍ୟୁବ୍ ବ୍ୟବହାରକାରୀଙ୍କର । ଅବଶିଷ୍ଟ ଡ଼ାଟା ଇନଷ୍ଟାଗ୍ରାମ ୟୁଜରଙ୍କର ବୋଲି ଏଥିରେ ଉଲ୍ଲେଖ ରହିଛି ।

କୁହାଯାଉଛି ଯେ ଲିକ୍ ହୋଇଥିବା ଡ଼ାଟା ମଧ୍ୟରେ ୟୁଜର (ବ୍ୟବହାରକାରୀ)ଙ୍କର ଫୋନ ନମ୍ବର, ଠିକଣା, ପ୍ରୋଫାଇଲ ନାଁ, ପୁରା ଅସଲ ନାଁ, ପ୍ରୋଫାଇଲ ଫଟୋ ଓ ଆକାଉଣ୍ଟ ବିବରଣୀ ସହ ଫଲୋଅରମାନଙ୍କ ସଂଖ୍ୟା, ଲାଇକ୍ ଆଦି ଅନ୍ତର୍ଭୁକ୍ତ । ୱେବସାଇଟ୍ ‘କମ୍ପାରିଟେକ୍’ ସମ୍ପାଦକ ପଲ ବିସ୍ଚାଫଙ୍କ ସୂଚନା ଅନୁସାରେ ଏହି ତଥ୍ୟ ସାଧାରଣ ମନେ ହେଲେ ହେଁ ଏହା ସାଇବର ଅପରାଧୀଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ।

କିଛି ସାଇବର ଗବେଷକଙ୍କ ମତ ଅନୁସାରେ ୟୁଜରମାନଙ୍କ ପ୍ରୋଫାଇଲ ଡ଼ାଟା ଲିକ୍ ହେବା ଆଶଙ୍କା ପରେ ୨୦୧୮ ମସିହାରେ ‘ଡ଼ିପ୍ ସୋସାଲ’ ନାମକ ଏକ କମ୍ପାନୀରଲିକ୍ ଡ଼ାଟା ଉପରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅଙ୍କୁଶ ଲଗାଇଥିଲେ। ଅନ୍ୟପକ୍ଷରେ ଫେସବୁକ୍ ମୁଖପାତ୍ର କହିଛନ୍ତି ଯେ ଇନଷ୍ଟାଗ୍ରାମରୁ କାହାରି ତଥ୍ୟ ଚୋରି କରିବା ଆମର ନୀତିର ସ୍ପଷ୍ଟ ଉଲ୍ଲଙ୍ଘନ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାସ ଆରମ୍ଭରେ ସାଇନି ହଣ୍ଟର୍ସ ନାମକ ଏକ ହ୍ୟାକର ଗୋଷ୍ଠୀ ୧୮ କମ୍ପାନୀର ୩୮.୬ କୋଟି ୟୁଜର୍ସଙ୍କ ବ୍ୟକ୍ତିଗତ ଡ଼ାଟା ଚୋରି କରି ଏକ ଫୋରମରେ ଅପଲୋଡ଼ କରିଦେଇଥିଲେ । ଯେଉଁଥିରୁ କେହି ବି ବ୍ୟକ୍ତି ମାଗଣାରେ ଏହି ତଥ୍ୟ ଡ଼ାଉନଲୋଡ଼ କରିବାରେ ସକ୍ଷମ ହୋଇପାରୁଥିଲା ।

Comments are closed.