ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କଙ୍କୁ ୨୨ବର୍ଷ ଜେଲ୍‌

ସିଓଲ: କ୍ଷମତାର ଦୁରୁପଯୋଗ ଓ ଦୁର୍ନୀତି ତଥା ଲାଞ୍ଚ ଅଭିଯୋଗରେ କ୍ଷମତାଚ୍ୟୁତ ହେବା ସହ କାରାବାସ ଭୋଗୁଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗିଉନ୍‌ ହାଏଙ୍କୁ ଆଉ ୨୦ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଥିବା ପାର୍କଙ୍କ ବିରୋଧରେ ୨୦୧୭ରେ ପ୍ରବଳ ଜନ ଆନ୍ଦୋଳନ ପରେ ସେ ମହାଭିଯୋଗ ପ୍ରସ୍ତାବରେ କ୍ଷମତାଚ୍ୟୁତ ହୋଇଥିଲେ। ସେହିବର୍ଷ ଅଦାଲତ ତାଙ୍କୁ ୩୦ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାର ଚୂଡ଼ାନ୍ତ ରାୟରେ ସୁପ୍ରିମକୋର୍ଟ ପାର୍କଙ୍କ କରାବାସ ସମୟକୁ ୧୦ବର୍ଷ ହ୍ରାସ କରିଛନ୍ତି। ନିର୍ବାଚନ ଆଇନ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଅଧିକ ଦୁଇ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ହୋଇଥିବା ଜୋରିମାନା ରାଶିରୁ ୧୯.୫ ନିୟୁତ ଆମେରିକୀୟ ଡଲାର ହ୍ରାସ କରିଛନ୍ତି। ପାର୍କ ନିଜର ଘନିଷ୍ଠ ବାନ୍ଧବୀ ଚୋଇ ସୁନ୍‌ ସିଲଙ୍କ ମାଧ୍ୟମରେ ଉପରୋକ୍ତ ଅପରାଧ କରିଥିବା ପ୍ରମାଣିତ ହୋଇଥିଲା।
ଦକ୍ଷିଣ କୋରିଆର ଅଧିକଂାଶ ରାଷ୍ଟ୍ରପତି କ୍ଷମତାରୁ ହଟିବା ପରେ କାରାଗାରରେ ଅବଶିଷ୍ଟ ଜୀବନ ବିତାଉଥିବା ଦେଖାଯାଏ। ସମ୍ପ୍ରତି ଦେଶର ଜୀବିତ ୪ ପୂର୍ବତନ ରାଷ୍ଟ୍ରପତି ଏଭଳି ଦଶା ଭୋଗିଥିବାବେଳେ ୨୦୦୯ରେ ରୋ ମୁ ହ୍ୟୁନ୍‌ କାରାଗାରରେ ଆତ୍ମହତ୍ୟା କରିଥିଲେ। ଦୁଇ ଜଣ ଚୁନ୍‌ ଦୁ ୱାନ୍‌ ଏବଂ ରୋ ତାଏ ଉ’ଙ୍କୁ କିଛି କାଳ କାରାବାସ ପରେ ରାଜକ୍ଷମା ପ୍ରଦାନ କରାଯାଇଥିଲା। ପାର୍କ ମଧ୍ୟ ରାଜକ୍ଷମା ପାଇଁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comments
Loading...