ଆନ୍ତର୍ଜାତିକ କ୍ରିକେଟ୍‌ରେ ମିତାଲିଙ୍କ ୨୨ ବର୍ଷ

ବ୍ରିଷ୍ଟଲ : ଭାରତୀୟ ମହିଳା କ୍ରିକେଟ୍‌ରେ ସବୁଠାରୁ ବଡ଼ ନାମ ମିତାଲି ରାଜ୍ ରବିବାର ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୨ ବର୍ଷ ପୂରଣ କରିଛନ୍ତି। ଏପରି କରିବାରେ ୩୮ ବର୍ଷ ବୟସ୍କା ମିତାଲି ରାଜ୍ ବିଶ୍ବର ପ୍ରଥମ ମହିଳା ଏବଂ ମୋଟଉପରେ ୨ୟ କ୍ରିକେଟର। ଭାରତର ସଚିନ ତେନ୍ଦୁଲକର ମଧ୍ୟ ୨୨ ବର୍ଷ ଆନ୍ତର୍ଜାତିକ କ୍ରିକେଟ୍‌ ଖେଳିଛନ୍ତି। ରବିବାର ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳି ମିତାଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ୨୨ ବର୍ଷ ପୂରଣ କରିଛନ୍ତି। ୧୯୯୯ ଜୁନ୍‌ ୨୬ରେ ମିଲ୍‌ଟନ କେୟନେସ୍‌ରେ ଆୟରଲାଣ୍ଡ ମହିଳା ଦଳ ବିପକ୍ଷରେ ମିତାଲି ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳି ଅପରାଜିତ ଶତକ ଅର୍ଜନ କରିଥିଲେ। ରବିବାର ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଅଧିନାୟିକା ମିତାଲି ୧୦୮ ବଲ୍‌ରୁ ସର୍ବାଧିକ ୭୨ ରନ୍ ସ୍କୋର୍ କରିଥିଲେ।
କେବଳ ଭାରତ ନୁହେଁ; ବିଶ୍ବରେ ମହିଳା କ୍ରିକେଟ୍‌ରେ ମିତାଲି ବହୁତ ବଡ଼ ନାମ। ସେ ସମସ୍ତ ବର୍ଗର କ୍ରିକେଟ୍‌ରେ ଭାରତର ପ୍ରତିିନିଧିତ୍ବ କରିଛନ୍ତି। ମିତାଲି ଅଦ୍ୟାବଧି ୨୧୫ ଦିନିକିଆରୁ ୭୧୭୦ ରନ୍ ସ୍କୋର୍ କରିଛନ୍ତି। ସେ ୧୧ ଟେଷ୍ଟରୁ ୬୬୯ ଓ ୮୯ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ୨୩୬୪ ରନ୍‌ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ ମିତାଲି ଟେଷ୍ଟ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିବାରେ ସର୍ବକନିଷ୍ଠା ମହିଳା କ୍ରିକେଟର ହୋଇଥିଲେ। ୧୩୮ଟି ମହିଳା ଦିନିକିଆ ମ୍ୟାଚ୍‌ରେ ମିତାଲି ଭାରତୀୟ ଦଳର ନେତୃତ୍ବ ନେଇଛନ୍ତି; ଯାହା ବିଶ୍ବରେ ସର୍ବାଧିକ। ମିତାଲି ହେଉଛନ୍ତି ସମସ୍ତ ଭାରତୀୟ ଯୁବା ପୀଢ଼ିର ଆଦର୍ଶ। ଦୀର୍ଘ ୨୨ ବର୍ଷ ହେଲା ମିତାଲି ଆନ୍ତର୍ଜାତିକ କ୍ରିକେଟ୍‌ ଖେଳୁଥିଲେ ହେଁ ତାଙ୍କ ସମୟରେ ଭାରତ କୌଣସି ବିଶ୍ବକପ୍ ଜିତି ନପାରିବା ତାଙ୍କ ପାଇଁ ଏକ ଅବଶୋଷ ହୋଇ ରହିଛି।

Comments are closed.