ସୁକ୍‌ମା ଏନକାଉଣ୍ଟର; ୨୨ ଯବାନ ଶହୀଦ

ମାଲକାନଗିରି/ସୁକ୍‌ମା: ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଏନକାଉଣ୍ଟରରେ ୩୦ ଯବାନ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଯବାନଙ୍କୁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାଳେ ଅନ୍ୟ ୭ ଜଣ ରାୟପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଗତ ଶନିବାର ସୁକମା-ବିଜାପୁର ସୀମାନ୍ତ ଜଙ୍ଗଲରେ ମାଓବାଦୀ ଦମନ ଅଭିଯାନ ସମୟରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏଥିରେ ୫ ଯବାନ ଶହୀଦ ହୋଇଥିବା ଗତକାଲି ଜଣାପଡ଼ିଥିଲା। ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କିନ୍ତୁ ୨୦ରୁ ଅଧିକ ଯବାନ ନିଖୋଜ ରହିଥିଲେ। ଆଜି ଘଟଣାସ୍ଥଳରୁ ନିଖୋଜ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡର ବିଜାପୁର ଜିଲା ଅନ୍ତର୍ଗତ ତାକୁଳଗୁଡ଼ାମଠାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟ ରେ ଗୁଳି ବିନିମୟ ହୋଇଥିଲା। ଏହି ଜଙ୍ଗଲରେ ପ୍ରାୟ ୬୦୦ରୁ ଅଧିକ ମାଓବାଦୀ ଏକ ବୈଠକ କରୁଥିବା ଖବର ପାଇ ବିଜାପୁର ପୁଲିସ, ସିଆରପିଏଫ, ଡିଆରଜି, ଓ କୋବ୍ରା ବାହିନୀ ପକ୍ଷରୁ ମିଳିତ ଭାବେ ସ୍ବତନ୍ତ୍ର କୋମ୍ବିଂ ଅପରେଶନ କରାଯାଇଥିଲା। ତେଵେ ଯବାନମାନେ ଆସିବା ନେଇ ପୂର୍ବରୁ ମାଓବାଦୀମାନେ ଖବର ପାଇଯାଇଥିଲେ। ତେଣୁ ସେମାନେ ପୂର୍ବରୁ ପ୍ରସ୍ତୁତ ହୋଇ ଯବାନଙ୍କୁ ଛକି ରହିଥିଲେ। ଯବାନମାନେ ଜଙ୍ଗଲରେ ପହଞ୍ଚିବା ପରେ ମାଓବାଦୀଙ୍କ ଦ୍ବାରା ବିଛାଯାଇଥିବା ଜାଲରେ ଫଶିଯାଇଥିଲେ। ବିସ୍ଫୋରଣ ଏବଂ ଆଖିବୁଜା ଗୁଳିମାଡ଼ରେ ୨୪ ଯବାନ ଶହୀଦ ହୋଇଥିଲେ। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଶହୀଦ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶାହ କହିଛନ୍ତି, ଦେଶ ଯବାନମାନଙ୍କ ବଳିଦାକୁ କେବେ ଭୁଲିବ ନାହିଁ। ଶାନ୍ତି ଏବଂ ବିକାଶର ଶତ୍ରୁଙ୍କ ବିରୋଧରେ ଆମ ଲଢ଼େଇ ଜାରି ରହିବ ବୋଲି ଶାହ କହିଛନ୍ତି।

Comments
Loading...