ରାଫେଲ କିଣାରେ ୨୧ହଜାର କୋଟିର କ୍ଷତି: କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ କିଣା ଦୁର୍ନୀତିରେ ଦେଶର ୨୧ ହଜାର ୭୫ କୋଟି ଟଙ୍କା କ୍ଷତି ହୋଇଛି। ଏଭଳି ଦାବି କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେୱାଲା। ନରେନ୍ଦ୍ର ମୋଦୀ ସରକାର ରାଫେଲ କିଣାବିକା ରାଜିନାମାରୁ ଦୁର୍ନୀତିବିରୋଧୀ ଧାରାଗୁଡ଼ିକୁ ହଟାଇ ଦେବାଦ୍ବାରା ଏହା ପଛରେ ଲାଞ୍ଚ କାରବାର ସ୍ପଷ୍ଟ ହୋଇଛି। ସ୍ବାଧୀନ ସଂସ୍ଥାଦ୍ବାରା ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ରଣଦୀପ ଦାବି କରିଛନ୍ତି।

ନିକଟରେ ରାଫେଲ ନିର୍ମାତା ଦାସଲ୍ଟ ଆଭିଏସନ୍‌ ଏକ ଭାରତୀୟ ମଧ୍ୟସ୍ଥଙ୍କୁ ୧୧ଲକ୍ଷ ୟୁରୋ ଦେଇଥିବା ଫ୍ରାନ୍ସର ଦୁର୍ନୀତି ବିରୋଧୀ ସଂସ୍ଥା ପ୍ରକାଶ କରିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଭାରତ ସରକାରଙ୍କର ରାଜକୋଷରୁ ୨୧ହଜାର କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ସେ ଦର୍ଶାଇଛନ୍ତି। ଏକ ଘରୋଇ ସଂସ୍ଥା ବା ଜଣେ ବାହାର ଲୋକ କିପରି ଏତେ କ୍ଷମତାଶାଳୀ ହୋଇଗଲେ ଯେ ମୋଦୀ ସରକାର ତାଙ୍କ ଉପରେ ଭରଶା କଲେ ଏବଂ ସେ ମଧ୍ୟସ୍ଥ ଭାବେ ବୁଝାମଣାରେ ବଡ଼ ଭୂମିକା ନିଭାଇଲେ ବୋଲି ସୁରଜେୱାଲା ପ୍ରଶ୍ନ କରିଛନ୍ତି। ସତ କେବେ ଲୁଚି ରହେ ନାହିଁ; ତେଣୁ ସ୍ବାଧୀନ ସଂସ୍ଥାଦ୍ବାରା ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଗଲେ ବହୁ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Comments are closed.