କେନ୍ଦ୍ର ଇସ୍ପାତମନ୍ତ୍ରୀ ରାଉରକେଲାରେ, ଆରଏମ୍‌ଡି କାର୍ୟ୍ୟାଳୟ ସ୍ଥାନାନ୍ତର ଦାବି

ରାଉରକେଲା: ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ବ୍ୟୟ ସଂକୋଚନ ବଳବତ୍ତର ରହିଥିବା ପରିପ୍ରେକ୍ଷୀରେ ଏହାକୁ ଗୁରୁତ୍ୱ ଦେଇ ସେଲ୍‌ ଅଧୀନରେ ଥିବା କଞ୍ଚାମାଲ ଡିଭିଜନର ମୁଖ୍ୟାଳୟକୁ ରାଉରକେଲା ଅଣାଯିବା ସପକ୍ଷରେ ଦାବି କରିଛି ଭାରତୀୟ ଇସ୍ପାତ ଅଧିକାରୀ ମହାସଂଘ ବା ସେଫି। ଆଜି କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ରାଉରକେଲା ଆସି ଖଣି ଅଞ୍ଚଳ ପରିଦର୍ଶନ କରିଥିବା ଏବଂ ଏଠାରେ ରାତ୍ରିଯାପନ କରୁଥିବା ପରିପ୍ରେକ୍ଷୀରେ ସେଫିର ଏହି ଦାବି ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି। ସେଲ୍‌ର ଭବିଷ୍ୟତ ଏବଂ ଅନୁଷ୍ଠାନର ସ୍ୱାର୍ଥ ଦୃଷ୍ଟିରୁ କଲକତାରୁ ଆରଏମ୍‌ଡିର ମୁଖ୍ୟ କାର୍ୟ୍ୟାଳୟ ରାଉରକେଲାକୁ ଅଣାଯିବା ଉଚିତ୍‌। ଆରଏମ୍‌ଡି ୧୯୯୦-୯୧ ମସିହାରେ ପ୍ରତିଷ୍ଠା ସହ କଲକତାରେ ଏହାର ମୁଖ୍ୟାଳୟ ହୋଇଥିଲା। ସେଫିର ସ୍ମାରକପତ୍ରରେ ଦର୍ଶାଯାଇଛି, କଲକତାର ଇଣ୍ଡଷ୍ଟ୍ରି ହାଉସ୍‌ର ତିନିଟି ଫ୍ଲୋରରେ ଆରଏମ୍‌ଡି ମୁଖ୍ୟାଳୟ ଭଡ଼ାରେ ଚାଲୁଛି। ଆରଏମ୍‌ଡି ଅଧୀନରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼ ଜିଲାରେ ରହିଥିବା ସେଲ୍‌ର ଖଣି ଖଣି ଗୁଡ଼ିକ ରହିଛି। ଏହି ଖଣିଗୁଡ଼ିକୁ ପରିଦର୍ଶନ ଓ ଏହାର ପ୍ରଶାସନିକ ନିୟନ୍ତ୍ରଣ କଲକତାରୁ ହେଉଛି। ସେଠାରେ ୬୨ଜଣ ଅଫିସର, ୨୯ କର୍ମଚାରୀ ନିଯୁକ୍ତ ରହିଛନ୍ତି। ପ୍ରାୟ ୧୨ଲକ୍ଷ ଟଙ୍କା ମାସିକ ଭଡ଼ା ଦିଆଯାଉଛି, ଯେତେବେଳେ ରାଉରକେଲା ଇସ୍ପାତ କାରଖାନାରେ ଯଥେଷ୍ଟ ଗୃହ ସହିତ ଅଫିସ ବ୍ୟବସ୍ଥା ରହିଛି। କଲକତା ଭଳି ଏକ ବ୍ୟୟବହୁଳ ସହରରେ କର୍ମଚାରୀ ଓ ଅଫିସରଙ୍କ ରହଣୀ, ୩୦ପ୍ରତିଶତ ଘରଭଡ଼ା ଭତ୍ତା ଓ ସିଟି ଭତ୍ତା ବାବଦରେ ପ୍ରାୟ ୧୫ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରାଯାଉଛି, ଯେତେବେଳେ ରାଉରକେଲାରେ ବହୁ କମ୍ପାନୀ କ୍ୱାର୍ଟର ଖାଲିପଡ଼ିଛି; ଯାହା ଆରଏମ୍‌ଡି ଆସିଲେ ବ୍ୟବହୃତ ହୋଇପାରନ୍ତା। କେବଳ ସେତିକି ନୁହେଁ, ବ୍ୟୟବହୁଳ କଲକତାର ଘରଭଡ଼ା, ସେଠାରୁ ଖଣି ଅଞ୍ଚଳକୁ ଯା’ଆସ ପାଇଁ ଟିଏ,ଡିଏ, ସିଟି ଭତ୍ତା ବାବଦରେ ହାରାହାରି ମାସିକ ପ୍ରାୟ ୧କୋଟି ଖର୍ଚ୍ଚ ହେଉଛି। ଏହି ବାର୍ଷିକ ପ୍ରାୟ ୧୨କୋଟି ବ୍ୟୟ ବଦଳରେ ରାଉରକେଲାକୁ ଆରଏମ୍‌ଡି ଆସିଲେ ଏହାର ୧୦ଭାଗରୁ ଭାଗେ ବା ଆହୁରି କମ୍‌ ବ୍ୟୟରେ ସବୁକିଛି ତୁଲାଇ ହେବ। ଆରଏମ୍‌ଡିର ବିଭିନ୍ନ ଉପକରଣ, ଠିକାସାମଗ୍ରୀ ଇତ୍ୟାଦିର ବାର୍ଷିକ ବଜେଟ ପ୍ରାୟ ୨୦୦କୋଟି ରହିଛି ଯାହାର ଟିକସ ଓ ଡ୍ୟୁଟି ଏଠାରେ ଓଡ଼ିଶା ସରକାର ପାଇପାରନ୍ତେ। କଲକତାରେ ଥିବା ଅଫିସରଙ୍କ ଚିକିତ୍ସା ବାବଦ ବ୍ୟୟ ବେଶ ଅଧିକ କାରଣ ବିଭିନ୍ନ ବଡ଼ ଡାକ୍ତରଖାନା ସହିତ କର୍ପୋରେଟ୍‌ ଚୁକ୍ତି ରହିଛି। ଏଠାକୁ ଆରଏମ୍‌ଡି ଆସିଲେ ଆଇଜିଏଚ୍‌ର ଇନଡୋର ଏବଂ ଆଉଟଡୋର ଚିକିତ୍ସା ସୁବିଧା ସହିତ ଗୁରୁତର ପ୍ରସଙ୍ଗରେ କେବଳ ବାହାରକୁ ରେଫର୍‌ କରାଯିବ ଯାହାଦ୍ୱାରା କମ୍ପାନୀର ବେଶ ସଞ୍ଚୟ ହୋଇପାରିବ। କଲକତାରେ ଦୁଇଟି ପିଲାଙ୍କ ପଢ଼ାପଢ଼ି ବାବଦରେ ଖର୍ଚ୍ଚ ପ୍ରଦାନ କରାଯାଉଛି ଯାହା ବଦଳରେ ଏଠାରେ ସେଲ୍‌ ଅଧୀନରେ ଥିବା ନିଜସ୍ୱ ସ୍କୁଲରେ ପିଲାଙ୍କୁ ପଢ଼ାଯାଇପାରିବ। ଏପରିକି ଆରଏସ୍‌ପି ପ୍ରୋତ୍ସାହନରେ ଘରୋଇ ସ୍କୁଲ ଡିପିଏସ୍‌ରେ ମଧ୍ୟ ସେମାନେ ସୁବିଧା ପାଇବେ। କଲକତାରେ ଆରଏମ୍‌ଡିର ଗାଡ଼ିମଟର ସମେତ ବରିଷ୍ଠ ଅଫିସରଙ୍କ ପରିବହନ ଖର୍ଚ୍ଚ ଅଧିକ ଯାହା ଏଠାରେ ଖୁବ୍‌ କମ୍‌ରେ ହୋଇପାରିବ। କେବଳ ସେତିକି ନୁହେଁ, କଲକତାରୁ ବିଭିନ୍ନ ଖଣି ଅଞ୍ଚଳକୁ ରହୁଥିବା ଦୂରତ୍ୱ ରାଉରକେଲାର ମୁଖ୍ୟାଳୟ ଦ୍ୱାରା ପ୍ରାୟ ଏକ ଚତୁର୍ଥାଂଶକୁ ଆସିଯିବ। ସେଲ୍‌ର ଅନ୍ୟତମ ପ୍ରତିଦ୍ୱନ୍ଦୀ ଟାଟାର କଞ୍ଚାମାଲ ଡିଭିଜନ ଖଣି ନିକଟସ୍ଥ ଅଞ୍ଚଳରେ ନୂଆମୁଣ୍ଡିରେ ଥିବାରୁ ଟାଟାର ପରିଚାଳନା ବେଶ ବ୍ୟବସ୍ଥିତ ଢଙ୍ଗରେ ହେଉଛି। ଅତୀତରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କୁ ସ୍ଥାନୀୟ ନେତା ଜୁଏଲ ଓରାମ, ଦିଲୀପ ରାୟ ପ୍ରମୁଖ ଏହି ପ୍ରସଙ୍ଗରେ ଦାବି କରି ସ୍ମାରକପତ୍ର ଦେଇଛନ୍ତି। ଓଡ଼ିଶା ଏବଂ ଝାଡ଼ଖଣ୍ଡରେ ସମସ୍ତ ଖଣିଥିବାରୁ ରାଜ୍ୟ ସରକାର ମାନଙ୍କ ସହିତ ସମନ୍ୱୟ ମଧ୍ୟ ଠିକ୍‌ରେ ରହିପାରିବ। ଲିଜ୍‌, ପରିବେଶ ସମସ୍ୟା ଇତ୍ୟାଦିର ସମାଧାନ ପାଇଁ ଉଭୟ ରାଜ୍ୟର ରାଜଧାନୀ ଭୁବନେଶ୍ୱର ବା ରାଞ୍ଚି ରାଉରକେଲାରୁ ବେଶୀଦୂର ନୁହେଁ। ବିଭିନ୍ନ କାରଣରୁ ବନ୍ଦ ପଡ଼ିଥିବା ଗୁଆ,ବରସୁଆଁ ଓ ପୁରୁଣାପାଣି ଖଣିର ପୁନରୁଦ୍ଧାର ପ୍ରକ୍ରିୟା ସହଜ ହେବ। କଞ୍ଚାମାଲ ଡିଭିଜନର ସୁପରିଚାଳନା, ସମୟ ଓ ଅର୍ଥ ସଞ୍ଚୟ ବ୍ୟବସ୍ଥା ହେଲେ ସେଲ୍‌ର ଧାର୍ୟ୍ୟ ଲକ୍ଷ୍ୟ ଆରଏମ୍‌ଡିରୁ ୪ନିୟୁତ ଟନ୍‌ ଲୁହାପଥର ଫାଇନ୍ସ ପ୍ରଦାନ ସହଜ ହେବ। ଏହି ପ୍ରସଙ୍ଗ ପ୍ରାୟ ୧୫ବର୍ଷରୁ କେବଳ ଦାବି ସ୍ତରରେ ରହିଥିବା ଏବଂ ନିକଟ ଅତୀତରେ ସେଲ୍‌ ଅଧ୍ୟକ୍ଷଙ୍କ ସହିତ ଆଲୋଚନା ହୋଇଥିବା ପରିପ୍ରେକ୍ଷୀରେ ତୁରନ୍ତ ଏହାକୁ କାର୍ୟ୍ୟକାରୀ କରାଯାଇ ଆରଏମ୍‌ଡି କାର୍ୟ୍ୟାଳୟ ରାଉରକେଲା ଅଣାଯିବାକୁ ସେଫିର ମହାସଚିବ ବିମଳ କୁମାର ବିଶି କହିଛନ୍ତି। ସେଫି ପକ୍ଷରୁ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀଙ୍କ ରାଉରକେଲା ଗସ୍ତ ପୂର୍ବରୁ ରାଷ୍ଟ୍ରମନ୍ତ୍ରୀଙ୍କ ସମେତ କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, କେନ୍ଦ୍ର ଇସ୍ପାତ ସଚିବ, ସେଲ୍‌ ଅଧ୍ୟକ୍ଷଙ୍କୁ ବିଭିନ୍ନ କାରଣ ଓ ବଳିଷ୍ଠ ଯୁକ୍ତି ସହ ଏକ ସ୍ମାରକପତ୍ର ଦିଆଯାଇଛି।

Comments are closed.