ଇଭିଏମ ଟ୍ରାକିଂ ଦାବିରେ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟିବେ ୨୧ ବିରୋଧୀ ଦଳର ପ୍ରତିନିଧି

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଟ୍ରାକିଂ ଏବଂ ଭିଭିପାଟର ବ୍ୟବହାରକୁ ବ୍ୟାପକ କରିବା ଦାବିରେ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ ନେଇ ୨୧ଟି ବିରୋଧୀ ଦଳର ପ୍ରତିନିଧି ମଙ୍ଗଳବାର ନିର୍ବାଚାନ ଆୟୋଗଙ୍କୁ ଭେଟି ଦାବି ଜଣାଇବେ। ସିପିଆଇ(ଏମ)ର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କ ନେତୃତ୍ଵରେ ବିରୋଧୀ ଦଳ ପ୍ରତିନିଧିମାନେ ନିର୍ବାଚନ ଆୟୋଗ ଅଧିକାରୀଙ୍କୁ ଭେଟି ଆଲୋଚନା କରିବେ। ୟେଚୁରୀ କହିଛନ୍ତି, ଭୋଟ ଗଣତି ସମୟରେ ଯଦି​‌ ଗୋଟିଏ ଇଭିଏମ ସହିତ ତାହାର ଭିଭିପାଟ ସ୍ଲିପ ମେଳ ଖାଇବ ନାହିଁ ତା’ହେଲେ କ’ଣ କରାଯିବା ଉଚିତ ସେନେଇ ନିର୍ବାଚନ ଆୟୋଗ ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଆମେ ଚାହୁଁଛୁ ଯେ, ଯଦି ଅତିକମ୍‌ରେ ଗୋଟିଏ ଇଭିଏମ କ୍ଷେତ୍ରରେ ଏଭଳି ସମସ୍ୟା ସୃଷ୍ଟି ହୁଏ, ତା’ହେଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ସମସ୍ତ ଇଭିଏମର ଭିଭିପାଟ୍‌ ସ୍ଲିପ୍‌କୁ ଗଣନା କରାଯିବ। ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି ଏହା ଗୁରୁତ୍ଵପୂର୍ଣ୍ଣ।

କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ, କଂଗ୍ରେସ ନେତା ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଅହମଦ ପଟେଲ ପ୍ରମୁଖ ପ୍ରତିନିଧି ଦଳ ସହିତ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତାମାନଙ୍କୁ ପ୍ରତିନିଧି ଦଳରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଜଣେ ନେତା କହିଛନ୍ତି।

ସୂଚନାଯୋଗ୍ୟ, ନିର୍ବାଚନରେ ସ୍ବଚ୍ଛତା ଆଣିବା ଲାଗି ଏକ ନିର୍ବାଚନ ମଣ୍ଡଳୀର ୫୦ ପ୍ରତିଶତ ଇଭିଏମ ସହିତ ଏହାର ଭିଭିପାଟ ସ୍ଲିପଗୁଡ଼ିକୁ ଗଣନା କରିବା ଦାବିରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଥିଲା। ତେବେ ଯଦି ଏପରି ହୁଏ ତା’ହେଲେ ନିର୍ବାଚନ ଫଳ ପ୍ରକାଶରେ ୫ଦିନ ବିଳମ୍ବିତ ହେବ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଥିଲା। ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଗୋଟିଏ ନିର୍ବାଚନ ମଣ୍ଡଳୀରେ ଅତିକମ୍‌ରେ ୫ଟି ଇଭିଏମ ସହିତ ଭିଭିପାଟ୍‌ ସ୍ଲିପ ଗଣନା କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦେଶ ଦେଇଥିଲେ।

Comments are closed.