ଗଜପତିରେ ଆଜିଠୁ ୨୧ ଦିନିଆ କ୍ବାରେଣ୍ଟାଇନ

ଗଜପତି: ଗଜପତି ଜିଲାରେ କ୍ବାରେଣ୍ଟାଇନ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲା ପ୍ରଶାସନ। ସୋମବାରଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି। ପୂର୍ବରୁ ୧୪ ଦିନ କ୍ବାରେଣ୍ଟାଇନରେ ରହିବା ବ୍ୟବସ୍ଥା ଥିଲା। କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ ଦିନ କରାଯାଇଛି। ୨୧ ଦିନ ମଧ୍ୟରେ କୌଣସି ଲକ୍ଷଣ ନ ବାହାରିଲେ ପ୍ରବାସୀମାନଙ୍କୁ ଘରକୁ ପଠାଇ ଦିଆଯିବ। ପରେ ସେମାନେ ୭ ଦିନ ହୋମ୍‌ କ୍ବାରେଣ୍ଟାଇନରେ ରହିବେ ବୋଲି ଗଜପତି ଜିଲାପାଳ ଅନୁପମ ସାହା କହିଛନ୍ତି।

ତେବେ ୨୧ ଦିନ କ୍ବାରେଣ୍ଟାଇନରେ ରହିବା ପରେ ୧ମ କିସ୍ତିରେ ପ୍ରୋତ୍ସାହନ ରାଶି ୧୦୦୦ଟଙ୍କା ଏବଂ ପରବର୍ତ୍ତୀ ୭ଦିନ ହୋମ୍‌ କ୍ବାରେଣ୍ଟାଇନରେ ରହିବା ପରେ ସ୍ଥାନୀୟ ଓ୍ବାର୍ଡ ମେମ୍ବରଙ୍କ ସନ୍ତୋଷଜନକ ସୁପାରିସ କ୍ରମେ ଦ୍ବିତୀୟ କିସ୍ତିର ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଘର ଘର ବୁଲି ସର୍ଭେ କରାଯିବା ସମୟରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ସ୍ବାସ୍ଥ୍ୟାବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

Comments are closed.