୨୦୨୮ ଅଲିମ୍ପିକ୍‌ସରେ ପୋଡିୟମ୍‌ ଦଖଲ ଲକ୍ଷ୍ୟ : ଦକ୍ଷ ମହିଳା ହକି ଖେଳାଳି ସୃଷ୍ଟି ପ୍ରୟାସରେ ସାଇ

କଟକ : ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ଅଲିମ୍ପିକ୍‌ସ-୨୦୨୮ ଶ୍ରେଷ୍ଠ ମହିଳା ଦଳ ଗଠନ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ଦେଶର ବିଭିନ୍ନ ସ୍ଥାନରେ ରହିଥିବା ସାଇ ସେଣ୍ଟରଗୁଡ଼ିକରେ ସବ୍‌ଜୁନିୟର ଓ ଜୁନିୟର ବାଳିକା ବର୍ଗର ଖେଳାଳିମାନଙ୍କୁ ଉପଯୁକ୍ତ ତାଲିମ ମାଧ୍ୟମରେ ଦକ୍ଷ ଖେଳାଳି ସୃଷ୍ଟି କରିବା ଲକ୍ଷ୍ୟ ନେଇ କାର୍ୟ୍ୟ କରୁଛି ସାଇ। ସେଥିମଧ୍ୟରୁ ଓଡ଼ିଶାର ସୁନ୍ଦରଗଡ଼ରେ ରହିଥିବା ସାଇ ବାଳିକା ହକି ସେଣ୍ଟର ଅନ୍ୟତମ। ନିକଟରେ କଳିଙ୍ଗ ଷ୍ଟାଡ଼ିୟମରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ହୋଇଥିଲା ପ୍ରଥମ ଜାତୀୟ ଜୁନିୟର ଓ ସବ୍‌ ଜୁନିୟର ମହିଳା ଏକାଡେମୀ ହକି ଚମ୍ପିଆନସିପ୍‌। ଏଥିରେ ସାଇ ଏକାଡ଼େମୀ ଉଭୟ ଜୁନିୟର ଓ ସବ୍‌ ଜୁନିୟର ବର୍ଗରେ ଚମ୍ପିଆନ ହୋଇଥିଲା। ଜୁନିୟର ଦଳ ମୁଖ୍ୟ ପ୍ରଶିକ୍ଷକ ପ୍ରଦୀପ କୁମାର ଷଡଙ୍ଗୀଙ୍କ ନେତୃତ୍ବରେ ଉଭୟ ଦଳ ସଫଳତା ହାସଲ କରିଥିଲା।
ଜୁନିୟର ମହିଳା ଦଳର ମ୍ୟାନେଜର ଜ୍ୟୋତି ପାଞ୍ଚାଲ କହିଛନ୍ତି ଯେ, ୨୦୨୮ ଅଲିମ୍ପିକ୍‌ସ ପାଇଁ ଶ୍ରେଷ୍ଠ ମହିଳା ଦଳ ଗଠନ ଲକ୍ଷ୍ୟ ନେଇ ସାଇ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସାଇ ଏକାଡେମୀ ହକି ଦଳ ଲାଗି ୪୬ଜଣିଆ ଜୁନିୟର ଓ ୬୬ଜଣିଆ ସବ୍‌ ଜୁନିୟର ଖେଳାଳି ମନୋନୟନ କରାଯାଇଥିଲା। ଖେଳାଳି ମନୋନୟନ ଲାଗି ୪ଜଣିଆ କମିଟି ଗଠନ କରାଯାଇଥିଲା। ଏଥିରେ ଜ୍ୟୋତି ପାଞ୍ଚାଲଙ୍କ ସମେତ ପାରେଖ ପଟେଲ ଟିମ୍‌ ଅଫିସିଆଲ ରହିଥିବାବେଳେ ସବ୍‌ ଜୁନିୟର ବର୍ଗରେ ପ୍ରଦୀପ କୁମାର ଷଡଙ୍ଗୀ ଓ ଦୀକ୍ଷି ବିକାଶ ଅଫିିସିଆଲ ରହିଥିଲେ। ଫେବୃଆରୀ ୧୪ରୁ ମାର୍ଚ୍ଚ ୧୬ ପର୍ୟ୍ୟନ୍ତ କିଟ୍‌ରେ ଶିବିର ଆୟୋଜିତ ହୋଇଥିଲା। ସାଇ ଟ୍ରେନିଂ ସେଣ୍ଟର ସୁନ୍ଦରଗଡ଼ର ମୁଖ୍ୟ ପ୍ରଶିକ୍ଷକ ପ୍ରଦୀପ କୁମାର ଷଡଙ୍ଗୀ କୁହନ୍ତି, ଭାରତୀୟ କ୍ରୀଡ଼ା ପ୍ରାଧିକରଣର ଦୀର୍ଘ ଯୋଜନା ଆଗାମୀ ୨୦୨୮ ଅଲିମ୍ପିକ୍‌ସରେ ଭାରତୀୟ ମହିଳା ହକି ଦଳ ପୋଡ଼ିୟମ ଦଖଲ କରିବା ନେଇ ନିଶ୍ଚିତ ସହାୟକ ହେବ। ସାଇ ଜୁନିୟର ସ୍ତରରୁ ଖେଳାଳିଙ୍କ ଦକ୍ଷତାକୁ ଚିହ୍ନଟ କରି ପ୍ରଶିକ୍ଷଣ ଯୋଗାଇ ଦିଆଯାଉଛି। ସାଇ କେବଳ ସହରାଞ୍ଚଳ ଖେଳାଳିମାନଙ୍କ ଉପରେ ଗୁରୁତ୍ବ ଦେଉନାହିଁ ଗ୍ରାମାଞ୍ଚଳରୁ ଆରମ୍ଭ କରି ତୃଣମୂଳସ୍ତରରୁ ଖେଳାଳି ଚିହ୍ନଟ କରି ପ୍ରଶିକ୍ଷଣ ପ୍ରଦାନ କରୁଛି ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି। ଦେଶରେ ରହିଥିବା ବିଭନ୍ନ ଘରୋଇ ହକି ଏକାଡ଼େମୀ ଓ ସାଇ ଏକାଡେମୀ ମଧ୍ୟରେ ବହୁତ ପ୍ରଭେଦ ରହିଛି। ସାଇ ପକ୍ଷରୁ ଖେଳାଳିମାନଙ୍କୁ ଶ୍ରେଷ୍ଠ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ସାଇ ସେଣ୍ଟରରୁ ୯ଜଣ ଖେଳାଳି ଜାତୀୟ ଏକାଡ଼େମୀ ହକିରେ ପ୍ରତିନିଧିତ୍ବ କରିଥିଲେ। ଅଲିମ୍ପିଆନ ଗଠନ ସହ ଅଲିମ୍ପିକ୍‌ସ ପଦକ ହାସଲ କରିବା ଭଳି ଖେଳାଳି ଦେଶକୁ ଯୋଗାଇ ଦେବା କ୍ଷେତ୍ରରେ ସାଇର ପଦକ୍ଷେପ ଆଗାମୀ ଦିନରେ ମହିଳା ହକିରେ ଭାରତ ବିଶ୍ବରେ ଅନ୍ୟତମ ଶ୍ରେଷ୍ଠ ଦଳ ହୋଇପାରିବ ବୋଲି ଶ୍ରୀ ଷଡଙ୍ଗୀ କହିଛନ୍ତି।

Comments are closed.