୨୦୨୩ ମହିଳା ଫୁଟବଲ ବିଶ୍ବକପ୍‌ : ଅକ୍‌ଲାଣ୍ଡରେ ଉଦ୍‌ଘାଟନୀ ମ୍ୟାଚ୍‌; ସିଡ୍‌ନୀରେ ଫାଇନାଲ

ଅକ୍‌ଲାଣ୍ଡ : ୨୦୨୩ ମହିଳା ଫୁଟବଲ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଅକ୍‌ଲାଣ୍ଡର ଇଡେନ୍‌ ପାର୍କରେ ଖେଳାଯିବ ଏବଂ ଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆର ସିଡନୀ ଷ୍ଟାଡ଼ିୟମରେ ଆୟୋଜିତ ହେବ ବୋଲି ଫିଫା ତରଫରୁ ସୂଚନା ଦିଆଯାଇଛି।
ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମିଳିତ ଭାବେ ୨୦୨୩ ମହିଳା ଫୁଟବଲ ବିଶ୍ବକପ୍‌ ଆୟୋଜନ କରୁଥିବା ବେଳେ ମୋଟ ୯ଟି ସହରରେ ସମସ୍ତ ମ୍ୟାଚ୍‌ ଖେଳାଯିବ। ଅକ୍‌ଲାଣ୍ଡ ଓ ସିଡନୀ ବ୍ୟତୀତ ଆଡିଲେଡ୍, ବ୍ରିସବେନ୍‌, ଡୁନେଡିନ୍‌, ହାମିଲଟନ୍‌, ମେଲବୋର୍ଣ୍ଣ, ପର୍ଥ ଓ ୱେଲିଙ୍ଗଟନ୍‌ ସହରରେ ମ୍ୟାଚ୍‌ ଖେଳାଯିବ। ଏହି ବିଶ୍ବକପ୍‌ର ଗୋଟିଏ ଲେଖାଏଁ ସେମିଫାଇନାଲ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବ। ସଂପୂର୍ଣ୍ଣ ଖେଳସୂଚୀ ଚଳିତବର୍ଷ ଶେଷ ବେଳକୁ ଘୋଷଣା କରାଯିବ ବୋଲି ଫିଫା ତରଫରୁ ସୂଚନା ଦିଆଯାଇଛି। ଫିଫା ସଭାପତି ଇନ୍‌ଫାନ୍‌ଟିଟୋଙ୍କ ତରଫରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ମହିଳା ଫୁଟବଲ ବିଶ୍ବକପକୁ ଅଧିକ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ୯ଟି ସହରରେ ମ୍ୟାଚ୍‌ ଆୟୋଜନର ନିଷ୍ପତ୍ତି ହୋଇଛି। ସେହିପରି ଫୁଟବଲ ଅଷ୍ଟ୍ରେଲିଆ ଓ ଫୁଟବଲ ନ୍ୟୁଜିଲାଣ୍ଡ ତରଫରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ବିଶ୍ବକପ୍‌ର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଏହି ବିଶ୍ବକପ୍‌ ପୂର୍ବ ସଂସ୍କରଣ ଅପେକ୍ଷା ଅଧିକ ଲୋକପ୍ରିୟ ହେବ। ଆୟୋଜକ ଭାବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଦଳ ଏହି ବିଶ୍ବକପ୍‌ରେ ଖେଳିବାକୁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ପ୍ରଥମଥର ପାଇଁ ଏହି ବିଶ୍ବକପ୍‌ରେ ୩୨ଟି ଦଳ ଭାଗନେବେ।

Comments are closed.