୨୦୨୩ ପୁରୁଷ ହକି ବିଶ୍ବକପ : ୧୬ ଦଳଙ୍କ ଯୋଗ୍ୟତା, ପାକିସ୍ତାନ ବିଫଳ

ନୂଆଦିଲ୍ଲୀ  : ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ୨୦୨୩ ଜାନୁଆରୀ ୧୩ରୁ ୨୯ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପର ପଞ୍ଚଦଶତମ ସଂସ୍କରଣ ଆୟୋଜିତ ହେବ। ଏଥିପାଇଁ ୧୬ଟି ଦଳ ଯୋଗ୍ୟତା ହାସଲ କରିଛନ୍ତି। ବିଶ୍ବକପ ଲାଗି ଆୟୋଜକ ଭାରତ ସମେତ ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ, ଇଂଲଣ୍ଡ, ଜର୍ମାନୀ, ସ୍ପେନ, ନେଦରଲାଣ୍ଡ୍‌ସ, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଆର୍ଜେଣ୍ଟିନା, ଚିଲି, ଜାପାନ, ଦକ୍ଷିଣ କୋରିଆ,ମାଲେସିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ୱେଲ୍‌ସ ଦଳ ଯୋଗ୍ୟତା ହାସଲ କରିଛନ୍ତି। ୪ଥର ବିଶ୍ବ ବିଜେତା ପାକିସ୍ତାନ ପୁରୁଷ ହକି ଦଳ ହକି ବିଶ୍ବକପ -୨୦୨୩ ଲାଗି ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛି। ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିର ଶେଷ ଲିଗ୍‌ ମ୍ୟାଚରେ ଜାପାନ ନିକଟରୁ ପରାଜିତ ହୋଇ ପାକିସ୍ତାନ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ ଯୋଗ୍ୟତା ହାସଲ କରିପାରିନାହିଁ। ଏସିଆ କପ୍‌ରେ ପାକିସ୍ତାନ ୧୩-୦ରେ ଇଣ୍ଡୋନେସିଆକୁ ପରାସ୍ତ କରିଥିବାବେଳେ ଭାରତ ସହ ୧-୧ ଗୋଲ ଅମୀମାଂଶିିତ ରଖିଥିଲା। ଶେଷ ଲିଗ୍‌ ମ୍ୟାଚରେ ପାକିସ୍ତାନ ୨-୩ ଗୋଲରେ ଜାପାନ ନିକଟରୁ ପରାଜିତ ହୋଇଥିଲା। ଭାରତ ​‌େଶଷ ଲିଗ୍‌ ମ୍ୟାଚରେ ୧୬-୦ ଗୋଲରେ ଇଣ୍ଡୋନେସିଆକୁ ପରାସ୍ତ କରିବା ପରେ ପାକିସ୍ତାନର ବିଶ୍ବକପ ଯୋଗ୍ୟତା ବାଟ ବନ୍ଦ ହୋଇଯାଇଥିଲା। କାରଣ ପାକିସ୍ତାନ ଏସିଆ କପ୍‌ର ସୁପର-୪ରେ ପହଞ୍ଚିବାରେ ବିଫଳ ହୋଇଥିଲା। ପୁଲ-ଏ ରୁ ଭାରତ ଓ ଜାପାନ ସୁପର-୪ରେ ପହଞ୍ଚିଥିବାବେଳେ ପାକିସ୍ତାନ ବାଦ୍‌ ପଡିଥିଲା। ସୂଚନାଯୋଗ୍ୟ, ପାକିସ୍ତାନ ଏବେ ସୁଦ୍ଧା ହକି ବିଶ୍ବକପରେ ସର୍ବାଧିକ ୪ଥର ୧୯୭୧, ୧୯୭୮, ୧୯୮୨ ଓ ୧୯୯୪ରେ ବିଜେତା ହୋଇଥିଲା।

Comments are closed.