୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବା ନିଷ୍ପତ୍ତି ଆଇଓଏ ଏକା ନେଇପାରିବ ନାହିଁ : ରିଜ୍‌ଜୁ

ନୂଆଦିଲ୍ଲୀ  : ବର୍ମିଂହାମ୍‌ରେ ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସୁଟିଂ ବାଦ୍ ପଡ଼ିବା ନେଇ କ୍ଷୁବ୍ଧ ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ୍‌ (ଆଇଓଏ) ଏହି କ୍ରୀଡ଼ାରୁ ଓହରି ଯିବାକୁ ବିଚାର କରୁଥିବା କିଛିଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲା। ତେବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରି ଯିବାକୁ ଆଇଓଏ ଏକାକୀ ନିଷ୍ପତ୍ତି ନେଇ ପାରିବ ନାହିଁ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜ୍‌ଜୁ ସ୍ପଷ୍ଟ କରି ଦେଇଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆଇଓଏ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ନିହାତି ଆବଶ୍ୟକ ବୋଲି ରିଜ୍‌ଜୁ ଗଣମାଧ୍ୟମକୁ କହିଛନ୍ତି। ସମଗ୍ର ଘଟଣାକ୍ରମ ସଂପର୍କରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଭାରତୀୟ ସୁଟିଂ ଫେଡେରେସନ୍‌ ଓ ଆଇଓଏ ସହ ଆଲୋଚନା କରିବ ବୋଲି ସେ ସୂଚନା ଦେଇଛନ୍ତି। ଆଇଓଏର ନିଷ୍ପତ୍ତି ଉପରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଭବିଷ୍ୟତ ନିର୍ଭର କରୁଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏହା ଉପରେ ନଜର ରଖିଥିବାର ସେ କହିଛନ୍ତି।
ଭାରତରେ ୨୦୩୨ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଆଇଓଏ ଉଦ୍ୟମ ଆରମ୍ଭ କରିଥିବା ସଂପର୍କରେ ମତ ଦେଇ ରିଜ୍‌ଜୁ କହିଥିଲେ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଆଇଓଏ ଅଣ୍ଟା ଭିଡ଼ିବା ଭଲ କଥା। ତେବେ ଏଥିପାଇଁ ଉପଯୁକ୍ତ ଯୋଜନା ପ୍ରସ୍ତୁତ ହେବା ନିହାତି ଆବଶ୍ୟକ। ବୃହତ ପ୍ରତିଯୋଗିତା ଆୟୋଜନକୁ ନେଇ ଦେଶ ଅନ୍ତର୍ଜାତୀୟ ସ୍ତରରେ ଯେପରି ଅପଦସ୍ତ ନ ହୁଏ ସେଥିପ୍ରତି ଦୃଷ୍ଟି ଦିଆଯିବା ଉଚିତ୍‌ ବୋଲି ରିଜ୍‌ଜୁ କହିଛନ୍ତି। ଦୀର୍ଘଦିନ ହେବ ଜାତୀୟ କ୍ରୀଡ଼ା ନିୟାମକ ଅଣାଯିବା ସଂପର୍କରେ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏ ସଂପର୍କରେ ମତ ଦେଇ ରିଜ୍‌ଜୁ କହିଥିଲେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ସେ ବିସ୍ତୃତ ଭାବେ ଅନୁଧ୍ୟାନ କରି ନାହାନ୍ତି। ଯଦି ନୂଆ କ୍ରୀଡ଼ା ନିୟାମକ ଜାରି କରାଯିବ ତାହା ସମସ୍ତ କ୍ରୀଡ଼ା ସଂଘ ସହ ଆଲୋଚନା ପରେ ହେବ। ଆଇଓଏ ଓ ବିଭିନ୍ନ କ୍ରୀଡ଼ା ସଂଘ ସହ ମିଳିମିଶି କାର୍ଯ୍ୟ କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଚାହେଁ ବୋଲି ରିଜ୍‌ଜୁ କହିଛନ୍ତି।

Comments are closed.