୨୦୨୧ ଆଇପିଏଲ୍‌ ପାଇଁ ବିସିସିଆଇର ଯୋଜନା, ୯ଟି ଦଳ ଓ ସମ୍ପୂର୍ଣ୍ଣ ଖେଳାଳି ନିଲାମ

ଦୁବାଇ: ୨୦୨୦ର ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂସ୍କରଣ ସମାପ୍ତ ହୋଇଯାଇଛି। କରୋନା ସଂକ୍ରମଣ ଯୋଗୁଁ ୟୁଏଇରେ ଖେଳା ଯାଇଥିବା ଏହି ସଂସ୍କରଣ ସବୁଠାରୁ ପ୍ରତିଦ୍ବନ୍ଦ୍ବିତାମୂଳକ ହୋଇଛି। ପ୍ରଥମଥର ଫାଇନାଲ ଖେଳିଥିବା ଦିଲ୍ଲୀ କ୍ୟାପିଟାଲ୍‌ସକୁ ସହଜରେ ହରାଇ ମୁମ୍ବଇ ଇଣ୍ଡିଆନ୍‌ସ ୫ମ ଥର ଚମ୍ପିଆନ୍ ହୋଇଛି। ପୁଣି ଅଧିନାୟକ ଭାବେ ୫ ଥର ଓ ଖେଳାଳି ଭାବେ ୬ଷ୍ଠ ଥର ଆଇପିଏଲ୍‌ ଜିତିବାର ରେକର୍ଡ ପ୍ରତିଷ୍ଠା କରିଛନ୍ତି ରୋହିତ ଶର୍ମା। ୫୩ ଦିନର ତଣ୍ଟିକଟା ପ୍ରତିଯୋଗିତା ସମାପ୍ତ ହୋଇଛି। ଏଥିରେ ୬୦ଟି ମ୍ୟାଚ୍‌ରୁ ୧୯,୩୫୨ ରନ୍, ୬୬୮ ୱିକେଟ, ୪,୮୬୮ ଡଟ୍‌ ବଲ୍‌, ୭୩୪ଟି ଛକା, ବାଉଣ୍ଡରୀରୁ ୧୦,୭୩୨ ରନ୍, ୪ଟି ସୁପର ଓଭର ଦେଖିବାକୁ ମିଳିଛି। ୧୩ଶ ସଂସ୍କରଣର ସଫଳତା ଦେଖି ବେଶ୍ ଉତ୍ସାହିତ ହୋଇଯାଇଛି ବିସିସିଆଇ। ତେଣୁ ଏହା ୨୦୨୧ ଆଇପିଏଲ୍‌ ସଂସ୍କରଣକୁ ନୂଆ ରୂପ ଦେବାର ପ୍ରୟାସ ଆରମ୍ଭ କରିଦେଇଛି।

ଏକ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ ଆସନ୍ତାବର୍ଷର ସଂସ୍କରଣ ପୂର୍ବରୁ ସମ୍ପୂର୍ଣ୍ଣ ଖେଳାଳି ନିଲାମ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରିଛି। ୨୦୨୧ର ଆଇପିଏଲ୍‌ ସଂସ୍କରଣ ଭାରତକୁ ଫେରିବାକୁ ଥିବା ବେଳେ ସମ୍ପୂର୍ଣ୍ଣ ଖେଳାଳି ନିଲାମ ଲାଗି ପ୍ରସ୍ତୁତ ରହିବାକୁ ଫ୍ରାଞ୍ଚାଇଜିମାନଙ୍କୁ ବିସିସଆଇ କହିଦେଇଛି। ଏପରି କରିବାକୁ ବିସିସିଆଇ ପାଖରେ ୨ଟି କାରଣ ରହିଛି। ୨୦୨୧ ଆଇପିଏଲ୍‌ରେ ୯ମ ଦଳ ସାମିଲ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇସାରିଛି। କରୋନା ସଂକ୍ରମଣ ଯୋଗୁଁ ୟୁଏଇରେ; ତାହା ପୁଣି ବିନା ଦର୍ଶକରେ ଆଇପିଏଲ୍‌ ଆୟୋଜନ କରିବା ଯୋଗୁଁ ବିସିସିଆଇର ବେଶ୍‌ ଆର୍ଥିକ କ୍ଷତି ହୋଇଛି। ଏହା ଭରଣା କରିବାକୁ ୯ମ ଦଳ ସାମିଲ କରିବାକୁ ବିସିସିଆଇ ଯୋଜନା କରିଛି। ଏପରି ହେଲେ ଆର୍ଥିକ ସନ୍ତୁଳନ ହୋଇପାରିବ। ପୁଣି ୯ମ ଦଳ ସାମିଲ ହେବାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ଖେଳାଳି ନିଲାମ ନିଶ୍ଚୟ ହେବ। ଅର୍ଥାତ୍ କୌଣସି ଫ୍ରାଞ୍ଚାଇଜି କିଛି ଖେଳାଳିଙ୍କୁ ରଖିପାରିବେ ନାହିଁ। ନୂତନ ଆଇପିଏଲ୍‌ ଫ୍ରାଞ୍ଚାଇଜି ହାସଲ କରିବା ଲାଗି ଖୁବ୍ ଶୀଘ୍ର ବିସିସିଆଇ ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ଯାହା ଶୁଣିବାକୁ ମିଳିଛି; ନୂଆ ଫ୍ରାଞ୍ଚାଇଜିର ଘରୋଇ ସହର ଅହମ୍ମଦାଦାବ ହେବ।

ଏହି ସହରର ମୋଟେରା ଷ୍ଟାଡିୟମ୍‌ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ଷ୍ଟାଡିୟମ୍‌ ଏବଂ ଏଠାରେ ୧,୧୦୦୦୦ ଦର୍ଶକ ବସିପାରିବେ। ପୁଣି ଅହମ୍ମଦାବାଦର ଫ୍ରାଞ୍ଚାଇଜି ହାସଲ କରିବା ଲାଗି ଦେଶର ବହୁ ନାମୀ ବ୍ୟାବସାୟିକ ସଂସ୍ଥା ଆଗ୍ରହୀ ଅଛନ୍ତି ଏବଂ ବିସିସିଆଇକୁ ଏହା ଜଣାଇ ଦେଇଛନ୍ତି ମଧ୍ୟ। ତେବେ ଗୋଟିଏ ବ୍ୟାବସାୟିକ ସଂସ୍ଥା ଅହମ୍ମଦାବାଦ ଫ୍ରାଞ୍ଚାଇଜିର ମାଲିକାନା ପାଇବା ପ୍ରାୟ ନିଶ୍ଚିତ ବୋଲି ମଧ ଜଣାପଡ଼ିଛି। ଗତ ସପ୍ତାହରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍‌ ଢାଞ୍ଚାରେ ସାମାନ୍ୟ ପରିବର୍ତ୍ତନ ଲାଗି ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Comments are closed.