୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଫିକ୍ସିଂ ଅଭିଯୋଗ, ତଦନ୍ତ ପାଇଁ ଶ୍ରୀଲଙ୍କା ସରକାରଙ୍କ ନିର୍ଦେଶ

କଲମ୍ବୋ : ୨୦୧୧ ମସିହାରେ ଖେଳାଯାଇଥିବା କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ୍‌ ମ୍ୟାଚ୍‌ରେ ଭାରତର ମୁକାବିଲା ଶ୍ରୀଲଙ୍କା ସହ ହୋଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ଦଳ ଚମ୍ପିଆନ୍ ହୋଇଥିଲା। ତେବେ ଶ୍ରୀଲଙ୍କା ଦଳ ଜାଣିଶୁଣି ଫାଇନାଲ୍‌ ମ୍ୟାଚ୍‌ରେ ହାରିଥିଲା ବୋଲି ଗୁରୁବାର ଅଭିଯୋଗ କରିଥିଲେ ଶ୍ରୀଲଙ୍କାର ତତ୍‌କାଳୀନ କ୍ରୀଡ଼ା ମନ୍ତ୍ରୀ ମହିନ୍ଦାନନ୍ଦ ଆଲୁଥାଙ୍ଗାମାଗେ।
ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ଶୁକ୍ରବାର ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ଶ୍ରୀଲଙ୍କା ସରକାର। ଶ୍ରୀଲଙ୍କାର ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରୀ ଥିବା ଦୁଲାସ୍‌ ଆହଲାପୁରମା କହିଛନ୍ତି ଏହି ଘଟଣାର ତଦନ୍ତ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ କ୍ରୀଡ଼ା ସଚିବ ରୁୱାନଚନ୍ଦ୍ରାଙ୍କୁ ନିର୍ଦେଶ ଦିଆଯାଇଛି। ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠିତ ହେବ ଏବଂ କମିଟି ପ୍ରତି ଦୁଇ ସପ୍ତାହରେ ନିଜ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବ। ସୂଚନାଥାଉକି ମହିନ୍ଦାନନ୍ଦଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ୨୦୧୧ ବିଶ୍ବକପ୍‌ରେ ଶ୍ରୀଲଙ୍କା ଦଳର ଅଧିନାୟକ ଥିବା କୁମାର ସାଙ୍ଗାକାରା ଓ ବରିଷ୍ଠ ଖେଳାଳି ମାହେଲା ଜୟବର୍ଦ୍ଧନେ।

Comments are closed.