ସ୍ୱାଧୀନତା ଦିବସରେ ସେନା ଶିବିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା

0

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଦିନ ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ଘଟିପାରେ। ଏଥିପାଇଁ ଲସ୍କର-ଇ-ତୋଇବା (ଏଲ୍‍ଇଟି) ଏବଂ ଜୈସ-ଇ-ମହମ୍ମଦ (ଜେଇଏମ୍‍)ର ୨୦ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି। ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସ୍‍ଆଇ) ଯୋଜନା ପ୍ରସ୍ତୁତ କରିଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ପ୍ରଦାନ କରିଛନ୍ତି। ଏହାକୁ ନେଇ ସେନାରେ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ ଅଗଷ୍ଟ ୧୪ କିମ୍ବା ୧୫ରେ ଶପଥ ଗ୍ରହଣ କରିବେ। ଇମ୍ରାନଙ୍କ ଶପଥକୁ ସ୍ମରଣୀୟ କରିବା ପାଇଁ ପାକିସ୍ତାନ ଆତଙ୍କବାଦୀ ଏବଂ ଆଇଏସ୍‍ଆଇ ଭାରତୀୟ ସେନା ଶିବିର ଉପରେ ଆକ୍ରମଣ ଯୋଜନା କରୁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁଇନ୍ଦା ସୂଚନା ଅନୁସାରେ ନିୟନ୍ତ୍ରଣ ରେଖା ନିକଟରେ ଏଲଇଟି ଏବଂ ଜେଇଏମ୍‍ ଆତଙ୍କବାଦୀମାନେ ଏକଜୁଟ ହେଉଛନ୍ତି। ସେମାନଙ୍କୁ ଭାରତୀୟ ସେନା ଶିବିର ଉପରେ ଆକ୍ରମଣ ପାଇଁ ପଠାଯାଇଛି। ବିଶେଷ କରି ଜାମ୍ମୁ କାଶ୍ମୀର ଟଙ୍ଗଧର ଅଞ୍ଚଳରେ ଥିବା ସେନା ଶିବିର ଉପରେ ଆକ୍ରମଣ ପାଇଁ ଯୋଜନା ହୋଇଛି। ଏହାସହ କେତେକ ଆତଙ୍କବାଦୀ ସୀମା ପାର କରି ଜାମ୍ମୁ କାଶ୍ମୀରରେ ପ୍ରବେଶ କରିଛନ୍ତି ଓ ସେମାନେ ଆକ୍ରମଣ ପାଇଁ ତଥ୍ୟ ସଂଗ୍ରହରେ ଲାଗିଛନ୍ତି ବୋଲି ଗୁଇନ୍ଦା ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି। ଜୈସ-ଇ- ମହମ୍ମଦର କେତେକ ଆତଙ୍କବାଦୀ ଭାରତରେ ପଟ୍ଟନ ଏବଂ ବାରାମୁଲା ଟାଉନ ମଝିରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଆକ୍ରମଣ ପାଇଁ ସେମାନେ ଜାମ୍ମୁ କାଶ୍ମୀରର ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗ ନେଉଛନ୍ତି। ପୁଞ୍ଚ, ରାଜୌରୀ ନିୟନ୍ତ୍ରଣ ରେଖା ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି। ପାକ୍‍ ଅଧିକୃତ କାଶ୍ମୀର (ପିଓକେ) ଖୋଲି ନାମକ ସ୍ଥାନରେ ଜେଇଏମ୍‍ର ୫ ଆତଙ୍କବାଦୀ ଅଛନ୍ତି ଓ ସେମାନେ ଟଙ୍ଗଧର ସେନା ଶିବିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆକ୍ରମଣ ଯୋଜନାକୁ ରୁପରେଖ ଦେବା ପାଇଁ ଭିତରକୁ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ନକ୍‍ସା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଲଇଟିର ୬ ଆତଙ୍କବାଦୀ ଜଣେ ଗାଇଡ଼ ସହ ଖୋଜାବଡ଼ି ଆତଙ୍କବାଦୀ ଶିବିରରେ ଅଛନ୍ତି। ପୁଞ୍ଚ ସୀମା ଦେଇ ୩ ଆତଙ୍କବାଦୀ ଭାରତକୁ ଅନୁପ୍ରବେଶ କରିବା ଅପେକ୍ଷାରେ ଅଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

Leave A Reply