ପାରାଦୀପ ସମୁଦ୍ରରୁ ୨୦ ସନ୍ଦିଗ୍ଧ ବାଂଲାଦେଶୀ ଉଦ୍ଧାର

ଭୁବନେଶ୍ୱର: ପାରାଦୀପ ଉପକୂଳରେ ବଙ୍ଗୋପସାଗରରୁ ୨୦ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଦ୍ଧାର କରାଯାଇଛି। ପାରାଦୀପ ସାମୁଦ୍ରିକ ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ସେମାନଙ୍କ ନିକଟରୁ ୧୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ବାଂଲାଦେଶୀମାନେ ସମୁଦ୍ର ମଧ୍ୟରେ ଅଟକି ରହିଥିବାବେଳେ ସେମାନଙ୍କୁ କିଛି ମତ୍ସ୍ୟଜୀବୀ ଉଦ୍ଧାର କରିଥିଲେ। ଏହି ବାଂଲାଦେଶୀଙ୍କୁ ପାରାଦୀପ ମାଛଧରା ଜେଟକୁ ଅଣାଯିବା ପରେ ସେମାନଙ୍କୁ ଖାଦ୍ୟ ଓ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇଛି। ଏ ସମ୍ପର୍କରେ ଖବର ମିଳିବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଛି। ପ୍ରାଥମିକ ସୂଚ୩ନା ଅନୁଯାୟୀ ସେମାନେ ଡିସେମ୍ବର ୯ ତାରିଖରେ ବାଂଲାଦେଶ ଉପକୂଳରୁ ଟ୍ରଲର ଯୋଗେ ବାହାରିଥିଲେ। ତେବେ ପାଗ ଖରାପ ଯୋଗୁ ମଝି ସମୁଦ୍ରରେ ସେମାନଙ୍କର ଯନ୍ତ୍ରଚାଳିତ ନୌକା ଅଚଳ ହୋଇଯାଇଥିଲା। ସେମାନଙ୍କୁ କିଛି ଭାରତୀୟ ମତ୍ସ୍ୟଜୀବୀ ଦେଖିବାପରେ କୂଳକୁ ଆଣିଥିଲେ। ଏ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସେମାନେ ବେଆଇନ ଭାବରେ ଭାରତ ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଉଛି।

Comments are closed.