ଘରୋଇ କଳିରୁ ସଂଘର୍ଷ ; ୨୦ ଆହତ

ଚିକିଟି : ଚିକିଟି ବ୍ଲକ ପାତିସୁନାପୁର ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ଶନିବାର ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ବହୁ ମହିଳା ରହିଛନ୍ତି। ସଂଘର୍ଷରେ ଗାଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଖବର ପାଇ ଗୋଳନ୍ଥରା ଥାନା ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ମିଳିଥିବା ସୂଚନା ପ୍ରକାରେ ଗ୍ରାମର ଏରାୟାଙ୍କ ଦୁଇ ପୁଅ ସୋମେଶୁ ଓ ଦେବରାଜଙ୍କ ସହ ତାଙ୍କ ଦାଦା ବାଲରାଜୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉଚ୍ଚବାଚ ହୋଇଥିଲା । ପରେ
ହାତାହାତି ରୂପ ନେଇଥିଲା। ଏହା ଧିରେ ଧିରେ ଗଁା ଭିତରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ପଥର ଓ କାଚ ମାଡ଼ ହେବାରୁ ସମଗ୍ର ଗାଁ ରଣକ୍ଷେତ୍ର ପାଲଟିଥିଲା । ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଦେଇଛି । ଶାନ୍ତିଶୃଙ୍ଖଳାକୁ ଆଖିଆଗରେ ରଖି ଗ୍ରାମରେ ପୁଲିସ ମୁତୟନ କରାଯାଇଛି । ଗତ ଶିବରାତ୍ରି ଦିନ ମେଲୋଡି ପରିବେଷଣକୁ ନେଇ ମଧ୍ୟ ଗ୍ରାମରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । କିଛିଦିନ ବ୍ୟବଧାନରେ ପୁଣି ଗୋଷ୍ଠୀ ସଙ୍ଘର୍ଷ ଗ୍ରାମବାସୀଙ୍କୁ ଭୟଭୀତ କରି ଦେଇଛି । ଏ ସଂକ୍ରାନ୍ତରେ ପୁଲିସ ତରଫରୁ କୌଣସି ମତାମତ ମିଳିପାରିନି। ପୁଲିସ ଗିରଫ ଭୟରେ ଗଁାରେ ତାଟିକବାଟ ପଡି ଯାଇଛି। ଆହତମାନେ ଗିରିସୋଲା ଓ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ରାତିରେ ଗୋଳନ୍ଥରା ଥାନାରେ ଭିଡ ଜମାଇଛନ୍ତି।

Comments are closed.