ନିର୍ବାଚନ କାର୍ଯ୍ୟରେ ତ୍ରୁଟି ; ୫ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୨୦ କର୍ମଚାରୀ ନିଲମ୍ବିତ

ଶିମଲା : ତିନି ଥର ପ୍ରଶିକ୍ଷଣ ଦେବା ପରେ ମଧ୍ୟ ଭୋଟ ଗ୍ରହଣ ସମୟରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ୫ ଜଣ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୨୦ ଜଣଙ୍କୁ ନିଲମ୍ବନ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ନିଲମ୍ବନ କରିଛନ୍ତି । ସୂଚନାଯୋଗ୍ୟ, ନିର୍ବାଚନ ଦିନ ଏହି ଅଧିକାରୀମାନେ ମକ୍ ପୋଲକୁ ନ କାଟି ତା ଉପରେ ଭୋଟ ଗ୍ରହଣ ଜାରି ରଖିଥିଲେ । ରବିବାର ଭୋଟ ଗ୍ରହଣ ଦିନ ନାଲାଗଡର କଶ୍ମୀରପୁର, ମଣ୍ଡିର ସଲବାହନ, ନାଚନର ହରବାହନୀ, ସରକାଘାଟର ଚୌକ-୨ ଏବଂ କୁଲ୍ଲୁର ଢାଲପୁର-୩ ଆଦି ୫ଟି ବୁଥରେ ଏହି ତ୍ରୁଟି ଦେଖିବାକୁ ମିଳିଥିଲା।

ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରିଜାଇଡିଂ ଅଧିକାରୀଙ୍କୁ ଏବିଷୟରେ ଜଣାପଡିଥିଲା । କିନ୍ତୁ ସେମାନେ ଏନେଇ ଉଚ୍ଚଅଧିକାରୀଙ୍କୁ ଅବଗତ ନ କରାଇ ସବୁ ଭୋଟକୁ କାଟି ଦେଇଥିଲେ । ଫଳରେ ମକ୍ ପୋଲ ପରେ ଗ୍ରହଣ ହୋଇଥିବା ସମସ୍ତ ଭୋଟ ମଧ୍ୟ କଟି ଯାଇଥିଲା । ନାଲାଗଡ ବିଧାନସଭା କ୍ଷେତ୍ରର କଶ୍ମୀରପୁର ବୁଥରେ ୫୧ଟି ମକ୍ ପୋଲ ସହ ୩୬ଟି ଭୋଟ୍ ଗ୍ରହଣ କରାଯାଇଥିଲା, ଯାହାକୁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନ ଜଣାଇ ପ୍ରିଜାଇଡିଂ ଅଧିକାରୀ କାଟି ଦେଇଥିଲେ । ଏହି ଘଟଣା ଉଚ୍ଚଅଧିକାରୀଙ୍କ ନଜରକୁ ଆସିବା ପରେ ଏହି ସବୁ ବୁଥର କର୍ମଚାରୀଙ୍କୁ ବଦଳି କରାଯାଇଥିଲା । ଏହା ସହ ଇଭିଏମ୍ ଏବଂ ଭିଭିପିଏଟି କୁ ମଧ୍ୟ ଜବତ କରାଯାଇଥିଲା । ଭୋଟ ଗ୍ରହଣ ସମୟରେ ଏଭଳି ତ୍ରୁଟି ବିଷୟରେ ଜଣାପଡିଲା ପରେ ସୋମବାର ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ୨୦ ଜଣ କର୍ମଚାରୀଙ୍କୁ ନିଲମ୍ବନ ଆଦେଶ ଦେବା ସହ ନିର୍ବାଚନ ଆୟୋଗଙ୍କୁ  ରିପୋର୍ଟ ପଠାଇ ଦେଇଥିଲେ । ଏହି ସବୁ ମତଦାନ କେନ୍ଦ୍ରରେ ପୁଣି ଥରେ ଭୋଟ ଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି ।

Comments are closed.