୮ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦୁଝରରେ କରୋନା ପଜିଟିଭ ୨୦

କେନ୍ଦୁଝରଗଡ: କେନ୍ଦୁଝର ଜିଲାରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି। ଚିହ୍ନଟ ହୋଇଥିବା ୮ଜଣଙ୍କ ମଧ୍ୟରୁ ୨ଜଣ ଗୁଜୁରାଟରୁ, ୨ଜଣ ବିହାରରୁ ଏବଂ ଜଣେ ତାଲିମଲନାଡୁ ଓ ଜଣେ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ୨ଜଣ ସ୍ଥାନୀୟ କରୋନା ଯୋଦ୍ଧା ଥିବାନେଇ ଜିଲାପାଳ ସୂଚନା ଦେଇଛନ୍ତି। ୮ଜଣ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତ ପ୍ରବାସୀ ୬ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ରହି ଆସୁଥିବା ବେଳେ ‘କୋଭିଡ-୧୯’ ସହ ସଂଶ୍ଳିଷ୍ଟ ୨ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ରହି ଆସୁଥିବା କହିଛନ୍ତି। କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ରହୁଥିବା ୨ ଆକ୍ରାନ୍ତଙ୍କ ପ୍ରାଇମେରୀ ଓ ସେକେଣ୍ଡାରୀ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଚିହ୍ନଟ ଶେଷ ହେବାପରେ ସେମାନଙ୍କ ମଧ୍ୟରୁ କାହାର ସ୍ୱାବ ସଂଗ୍ରହ କରାଯିବ ଏବଂ କାହାକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଯିବ ତାହା ପରବର୍ତ୍ତି ସମୟରେ ଟୁଇଟ ଯୋଗେ ଜଣାଇ ଦିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

ଚିହ୍ନଟ ୮ଜଣଙ୍କ ମଧ୍ୟରେ ହାଟଡିହୀ, ଆନନ୍ଦପୁର, ଘସିପୁରା, ପାଟଣା, ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ହୋଇଥିବା ବେଳେ ବାଂଶପାଳ ବ୍ଲକ ଅଞ୍ଚଳର ବାପ ଓ ଝିଅ ଦୁଇଜଣ ବୋଲି ଜଣାପଡିଛି। ସେହିଭଳି ପ୍ରଥମଥର ପାଇଁ ଜିଲା ମୁଖ୍ୟାଳୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଜଣକ କେନ୍ଦୁଝରଗଡ ପୌରାଞ୍ଚଳର ବୋଲି ଜଣାପଡିବା ପରେ ଉକ୍ତ ଅଞ୍ଚଳର ପ୍ରବେଶପଥକୁ ସିଲ କରି ଦିଆଯାଇଛି। କ୍ୱାରେଣ୍ଟାଇନ ସେଣ୍ଟର ପ୍ରଥମରୁ କଣ୍ଟେନମେଣ୍ଟ ଜୋନ ଭାବେ ବିବେଚନା ସହ ୧୪୪ଧାରା ବଳବତ୍ତର ରହିଥିବାରୁ ଉକ୍ତ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସୁବିଧାଜନକ ହୋଇଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ଚିହ୍ନଟ ୨ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ଜାରି ରହିଛି ଏବଂ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ନେଇ ଉପଜିଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିଭଳି ଘସିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ ଖାଲପାଳ ଗ୍ରାମକୁ ସୋମବାର ସନ୍ଧ୍ୟା ୬ଟାରୁ ୭୨ଘଣ୍ଟା ପର୍ଯ୍ୟନ୍ତ, ଆନନ୍ଦପୁର ବ୍ଲକ ଧକୋଠା ହାଇସ୍କୁଲର ୧୦୦ମିଟର ପରିଧିରେ ସୋମବାର ରାତ୍ର ୯ଟାରୁ ୭୨ଘଣ୍ଟା ପର୍ଯ୍ୟନ୍ତ ଏବଂ ବାଂଶପାଳ ବ୍ଲକ ଶୁଆକାଟୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ୧୦୦ମିଟର ପରିଧିକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରୁ ୭୨ଘଣ୍‍ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ଜଣାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ମୋଟ ୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬ଜଣ ଚିକିତ୍ସିତ ହେଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜୀବନଜିବୀକା ଦୃଷ୍ଟିରୁ ଲୋକେ ଘରୁ ବାହାରିବା ଆବଶ୍ୟକତା ଦୃଷ୍ଟିରୁ ତାଲାବନ୍ଦ କଟକଣାରେ କୋହଳ କରାଯାଇଥିବା ବେଳେ ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି। ଏଥିସହ ଘରୁ ବାହାରକୁ ବାହାରିଲେ ସାମାଜିକ ଦୂରତା ପାଳନ ସହ ମୁହଁରେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ ଏବଂ ନିଜକୁ କରୋନା ମହାମାରୀରୁ ରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ଆପଣାନ୍ତୁ ବୋଲି ଜିଲାପାଳ ପୁଣିଥରେ ଜିଲାବାସୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.