ଭରଣା ହେଲାନି କ୍ଷତି, କରୋନା ସାଜିଲା ଦାଉ

‘ଫଣି’କୁ ୨ବର୍ଷ

ଭୁବନେଶ୍ୱର :  ରାତି ପାହିଲେ ଫଣି ବାତ୍ୟାକୁ ୨ବର୍ଷ ପୂରିବ। ଏହାରି ଭିତରେ ବାତ୍ୟା ରଚିଥିବା ତାଣ୍ଡବରେ କ୍ଷୟକ୍ଷତି ଆଜିପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ।  ଫଣିର ତାଣ୍ଡବ ରୂପ ଆଜି ବି ଆଖି ଆଗରେ ନାଚି ଉଠୁଛି। ବାତ୍ୟାରେ ଆର୍ଥିକ କ୍ଷୟକ୍ଷତି ଭରଣା କରି ରାଜଧାନୀ ଅଣ୍ଟା ସଳଖି ଠିଆ ହେଲା ବେଳକୁ  ୨୦୨୦ ମାର୍ଚ୍ଚରୁ କରୋନା ମହାମାରୀ  ଦାଉ ସାଧିଛି।  ୨୦୧୯ ମେ ୩  ଭୁବନେଶ୍ବର, ଖୋର୍ଦ୍ଧା, କଟକ ଏବଂ ପୁରୀ ଜିଲାବାସୀଙ୍କ ପାଇଁ ଅଶୁଭ ଦିବସ ଥିଲା।  ସକାଳ ୮ଟା ବେଳକୁ ବାତ୍ୟାର ପ୍ରକୋପ ଆସ୍ତେ ଆସ୍ତେ ଆରମ୍ଭ ହେବାକୁ ଲାଗିଥିଲା।  ପବନ ବହିବା ସହ ବର୍ଷା ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯ଟା ବେଳକୁ ବାତ୍ୟା ଅତି ଭୟଙ୍କର ରୂପ ନେଇ ପୁରୀ, ଭୁବନେଶ୍ବର ସହ କଟକ ଓ ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ତାଣ୍ଡବ ରଚିଥିଲା।  ମଧ୍ୟାହ୍ନ ୧୨ଟା ବେଳକୁ ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଲାଗି ରହିଥିଲା। ୧୨ରୁ ୧୫ ମିନିଟ୍‌ ପାଇଁ ପବନ ବର୍ଷା ଛାଡ଼ି ଯାଇଥିଲା। ଲୋକେ ଭାବିଲେ ବାତ୍ୟା ଚାଲିଗଲା। କିନ୍ତୁ  ପୁଣି ଥରେ ଅତି ଭୟଙ୍କର ରୂପ ଧରି ବାତ୍ୟା ଫେରିଥିଲା। ଘଣ୍ଟା ପ୍ରତି ୨୫୦ କିମିରୁ ଅଧିକ ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହୋଇଥିଲା। ରାଜଧାନୀରେ ବାତ୍ୟା ଅତି ଭୟଙ୍କର ରୂପ ନେଇଥିବାରୁ ବଡ଼ ବଡ଼ ଗଛ ଉପୁଡ଼ି  ରାସ୍ତା ଉପରେ ପଡ଼ିଥିଲା। ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିବା ଏବଂ ତାର ଛିଡ଼ିବା ଦ୍ବାରା  ଭୁବନେଶ୍ବରରେ ବିଦ୍ୟୁତ୍ ସରବରାହ ଓ ପାନୀୟ ଜଳ ସଙ୍କଟ ଦେଖାଦେଇଥିଲା। ପାଣି ପାଇଁ ରାଜଧାନୀବାସୀ  ହନ୍ତସନ୍ତ ହୋଇଥିଲେ।

ଘଡ଼ିସନ୍ଧି ମୁହୂର୍ତ୍ତରେ ବିଏମ୍‌ସି ପକ୍ଷରୁ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଗଛକୁ କଟାଯାଇ ରାସ୍ତା ସଫା କରାଯାଇଥିଲା।  ବିଦ୍ୟୁତ୍‌ ସରବରାହ ପାଇଁ ପାଖାପାଖି ୧୫ଦିନ ସମୟ ଲାଗିଯାଇଥିଲା।  ବସ୍ତିବାସିନ୍ଦାଙ୍କ ଘର  ଭାଙ୍ଗି ପଡ଼ିବାରୁ ଅନେକ ବାସହରା ହୋଇଥିଲେ। ସରକାରଙ୍କ ପକ୍ଷରୁ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ୫୦ କି.ଗ୍ରା ଚାଉଳ ଓ ୨୫ ଶହ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିଲା। ପ୍ରାୟ ୧.୧୦ ଲକ୍ଷ ହିତାଧିକାରୀଙ୍କୁ ବିଏମ୍‌ସି ପକ୍ଷରୁ ଚାଉଳ ଏବଂ ଟଙ୍କା ବଣ୍ଟନ କରାଯାଇଥିଲା।  ବିଏମ୍‌ସିର ପ୍ରାୟ ୨୬୯ କୋଟି ଟଙ୍କା କ୍ଷତି ହୋଇଥିଲା। ରାସ୍ତାଘାଟ ଧୋଇ ହୋଇଯାଇଥିଲା। ମୁଖ୍ୟ ଡ୍ରେନ୍‌ଗୁଡିକ ଭାଙ୍ଗି ପଡ଼ିଥିଲା। ଯାହାକୁ ଏବେ ସୁଦ୍ଧା ମରାମତି କରାଯାଇ ପାରିନାହିଁ।

Comments are closed.