ମାନବ ଚାଲାଣ ଅଭିଯୋଗ, ୨ ଯୁବତୀ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଟାଉନ ଥାନା ପୁଲିସ ମାନବ ଚାଲାଣ ଅଭିଯୋଗରେ ୨ ଜଣ ଯୁବତୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନେ ଅଲାପକାର ସରିତା ରାୟ ଓ ଲାଢିବେର୍ଣ୍ଣାର ସୁସ୍ମିତା ଖେସ୍। ଅଭିଯୁକ୍ତାମାନେ ଗତ ୨୦ ତାରିଖ ଅପରାହ୍ନରେ ୭ ଜଣଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ଧରା ପଡିଥିଲେ। ଚାଲାଣ ହେଉଥିବା ସଂପୃକ୍ତ ୭ ଜଣଙ୍କ ମଧ୍ୟରେ ୨ ଜଣ ନାବାଳିକା ଓ ଜଣେ ନାବାଳକଙ୍କ ସମେତ ୩ ଜଣ ଯୁବତୀ ଓ ଜଣେ ଯୁବକ ମଧ୍ୟ ରହିଥିଲେ।
ସ୍ୱେଚ୍ଛାସେବୀ ସଂସ୍ଥା ପ୍ରଗତିର ସମ୍ପାଦକ ରାଜେନ୍ଦ୍ର ବେହେରାଙ୍କ ଏତଲା କ୍ରମେ ଏ ନେଇ ପୁଲିସ ମାମଲା ଋଜୁ କରି ଘଟଣାର ଛାନଭିନ ଚଲାଇ ଥିଲା। ଏସଡିପିଓ ମଧୁସିକ୍ତା ମିଶ୍ରଙ୍କ ତତ୍ୱାବଧାନରେ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରି ସଂପୃକ୍ତ ୨ଯୁବତୀଙ୍କ ଠାରୁ ବହୁ ତଥ୍ୟ ହାସଲ କରିବା ପରେ ତାଙ୍କୁ ଗିରଫ କରିଛି।