ବେଆଇନ ଗୋ’ ଚାଲାଣ ବେଳେ ଦୁଇ ଟ୍ରକ ଜବତ, ୬ ଗିରଫ 

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତା ନଂ୫୩ ରାଜ୍ୟ ରାଜପଥ ମଣ୍ଡୁଆ ଛକ ଏବଂ କରଡ଼ିଆ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ କରଞ୍ଜିଆ ପୁଲିସ ପାଟ୍ରୋଲିଂ ସମୟରେ ଦୁଇଟି ଟ୍ରକ ଭର୍ତ୍ତି ଚୋରା ଗୋ ଚାଲାଣ ଗାଡି ପୁଲିସ ହାତରେ ଧରା ପଡିଛି । କରଞ୍ଜିଆ ଥାନାର ସବ- ଇନ୍ସପେକ୍ଟର ଜୟନ୍ତୀ ମୋଲ୍ଲିକ ଓ ପଶ୍ଚିମ କବାଟ ରାତ୍ରି ପେଟ୍ରୋଲିଂ କରୁଥିବା ବେଳେ ଦୁଇଟି ଗାଡିକୁ ଧରିବାରେ ସଫଳ ହୋଇଥିବା ବେଳେ ଆଉ ଗୋଟିଏ ଗାଡି ଖସି ଯାଇଥିବା ସୂଚନା । ବହୁ ପୂର୍ବରୁ ଏ ଅଞ୍ଚଳରେ ଗାଈ ବଳଦ ଚୋରା ଚାଲାଣ ହେବା ସହିତ ଘର ଗୁଡିକରୁ ଗାଈ ବଳଦ ଚୋରି ହେଉଥିବା ଅଭିଯୋଗ ବାରମ୍ବାର ଆସୁଥିଲା । ତେବେ ଗତକାଲି ରାତିରେ ପୁଲିସ କୁ ଏକ ବଡ଼ ସଫଳତା ମିଳି ପାରିଛି । ପୁଲିସ ଦୁଇଟି ଟ୍ରକକୁ ଜବତ କରିବା ସହ ଗାଡିରେ ଥିବା ୮୪ ଟି ବଳଦ ଏବଂ ଡ୍ରାଇଭର ସମେତ ୬ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଗତ ମାସ ୪ତାରିଖ ଦିନ ସେହି ମଣ୍ଡୁଆ ଗାଁ ନିକଟ ଦେଓ ନଦୀ ପୋଲ ତଳେ ଓ ଉପରେ ଗୋ ମାଂସ ଏବଂ କଟା ମୁଣ୍ଡକୁ ନେଇ ଉତେଜନା ଓ ପରେ ରାସ୍ତା ରୋକ ହୋଇଥିଲା। ତେବେ କିପରି ଦୁଇଟି ଟ୍ରକ ଭଦ୍ରକ ଅଞ୍ଚଳରୁ ଦୀର୍ଘ ୧୫୦କିଲୋମିଟର ରାସ୍ତା ତିନି ତିନି ଟି ଥାନା ଅତିକ୍ରମ କରି ଆସିଲେ ତାହା ଏବେ ସନ୍ଦେହ ସୃଷ୍ଟି କରିଛି । ଟ୍ରକ ଭର୍ତ୍ତି ବଳଦ ନେଇ ଆସୁଥିବା ବେଳେ କାହିଁକି ଉକ୍ତଥାନାର କେହି ଜାଣି ପାରିଲେ ନାହିଁ। ତେବେ ଏପରି ଅମାନବୀୟ ଭାବରେ ଚୋରା ଗୋ ଚାଲାଣ କରୁଥିବା ଗୋ ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ତଥା ସାଧାରଣରେ ଦାବି ହେଉଛି ।

Comments are closed.