ଏଭରେଷ୍ଟରୁ ୨ ଟନ୍ ଆବର୍ଜନା ସଫା
କାଠମାଣ୍ଡୁ : ନେପାଳର ଏକ ପର୍ବତାରୋହୀ ଗୋଷ୍ଠୀ ଏଭରେଷ୍ଟ ଶୃଙ୍ଗରେ ଏକାଦିକ୍ରମେ ୪୭ଦିନ ଅତିବାହିତ କରିବା ସହ ଏହାର ମୂଳ ଶିବିରରୁ ୨.୨ ଟନ୍ ଆବର୍ଜନା ସଫା କରିଛନ୍ତି। ଶୃଙ୍ଗ ଶୀର୍ଷରେ ପହଞ୍ଚିବା ପାଇଁ ବହୁ ସଂଖ୍ୟକ ପର୍ବତାରୋହୀ ପ୍ରୟାସ କରୁଥିବାବେଳେ ସେମାନେ ସାଙ୍ଗରେ ନେଉଥିବା ସାମଗ୍ରୀ ବିଭିନ୍ନ ସ୍ଥାନରେ ଫିଙ୍ଗିଦେଇ ଆସନ୍ତି। ଏଥିମଧ୍ୟରେ ଥାଏ ପ୍ଲାଷ୍ଟିକ ପାଣି ବୋତଲ, ଖାଦ୍ୟ ପଦାର୍ଥ, କାଗଜ ତଥା ପ୍ୟାକିଂ ଖୋଳ, ଡବା, ଅମ୍ଳଜାନ ସିଲିଣ୍ଡର ଇତ୍ୟାଦି ସହିତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଏହି କାର୍ଯ୍ୟର ନେତୃତ୍ବ ନେଇଥିଲେ ପରିବେଶ କର୍ମୀ ତଥା ପର୍ବତାରୋହୀ ଦାୱା ଷ୍ଟିଭେନ୍ ଶେର୍ପା। ସେ ୨୦୦୮ରୁ ନିୟମିତ ଏଭଳି ଭାବେ ଏଭରେଷ୍ଟକୁ ସଫା ରଖିବା କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ସେ ଆଉ କିଛି ସଂଗଠନର ସହଯୋଗ ମଧ୍ୟ ନେଉଛନ୍ତି। ଚଳିତ ବର୍ଷ ଏଭରେଷ୍ଟ ସଫେଇ ଅଭିଯାନରେ ତାଙ୍କ ସହିତ ୧୨ ଜଣ ସାମିଲ ହୋଇଥିଲେ। ସେମାନେ ଏଭରେଷ୍ଟର ୮ଟି ଉଚ୍ଚ ପର୍ବତରୁ ଆବର୍ଜନା ସଫା କରିଥିବା ଜଣାପଡ଼ିଛି।
Comments are closed.