ଆମେରିକାରେ ପୁଣି ଦିନକରେ ୨ ହଜାର ମୃତ, ବିଶ୍ବବ୍ୟାପି ମୃତ୍ୟୁ ସଂଖ୍ୟା ୮୮ ହଜାର ଟପିଲା

ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି। ସପ୍ତାହ ତଳେ ଦିକୁ ୮୦୦ରୁ ୧ ହଜାର ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ଏବେ ଦୈନିକ ୨ ହଜାର ଲୋକ ଏହି ମହାମାରୀ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ସବୁଠୁ ବଡ଼ କଥା ହେଲା ଲଗାତାର ୨ ଦିନ ହେଲାଣି ଏଠାରେ ୨ ହଜାର ଲେଖାଏ ​‌ଲୋକଙ୍କ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟା ଭିତରେ ପ୍ରାଣ ହରାଇଥିବା ଦୁଇ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୭୭୯ କେବଳ ନ୍ୟୁୟର୍କ ସହରର। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୪ ହଜାର ୭୯୫ରେ ପହଞ୍ଚିଛି। ୪ ଲକ୍ଷ ୩୫ ହଜାର ୧୨୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଆମେରିକା ବିଶ୍ବର ସବୁଠାରୁ କରୋନା କ୍ଷତିଗ୍ରସ୍ତ ଦେଶ ପାଲଟିଛି।

ଅନ୍ୟପଟେ ବିଶ୍ବରେ ମୃତ୍ୟୁ ସଂଖ୍ୟା ୮୮ ହଜାର ୫୦୫ରେ ପହଞ୍ଚିଛି। ମୋଟ ୧୫ ଲକ୍ଷ ୧୮ ହଜାର ୭୭୩ ଜଣ ଆକ୍ରାନ୍ତ ହୋଇଛନ୍ତି। ଇଟାଲୀରେ ୧ଲକ୍ଷ ୩୯ ହଜାର ୪୨୨ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୭ ହଜାର ୬୯୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସ୍ପେନରେ ୧୪ ହଜାର ୭୯୨ ଜଣ, ଫ୍ରାନ୍ସରେ ୧୦ ହଜାର ୮୬୯ ଏବଂ ବ୍ରିଟେନରେ ୭ ହଜାର ୯୭ ପ୍ରାଣ ହରାଇଛନ୍ତି। ଏହି ୫ ଦେଶରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।

Comments are closed.