କୁଟୁରା ଶିକାର ଓ କାଠ କଟା ଘଟଣା ଅଭିଯୋଗରେ ୨ ଜଣ କୋର୍ଟ ଚାଲାଣ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ବନାଞ୍ଚଳ ଅଞ୍ଚଳରୁ ବନ ବିଭାଗ ଜଣେ ଶିକାରୀ ଓ ଜଣେ କାଠ କଟାଳି ଦୁଇ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଶୁକ୍ରବାର ଦିନ ସାତକୋଶିଆ ବନାଞ୍ଚଳ ପକ୍ଷରୁ ଦୁଆରସୁଣି ସଂରକ୍ଷିତ ଜଙ୍ଗଲ ଚଢ଼ାଉ କରାଯାଇ ଦୁଆରଶୁଣୀ ଗ୍ରାମର ବୃଦ୍ଧ ଗୁରା ହୋ (୬୨)ଙ୍କ ନିକଟରୁ ୧କେଜି ୨୦୦ ଗ୍ରାମ କୁଟୁରା ମାଂସ ସହ ଏକ କୁରାଢ଼ୀ ମଧ୍ୟ ଜବତ କରିଥିଲେ। ତେବେ ଦୁଆରଶୁଣୀ ଜଙ୍ଗଲରେ ଚଢ଼ାଉ ସମୟରେ କେବଳ ବୃଦ୍ଧ ଗୁରା ହୋ ଧରା ପଡିଥିବା ବେଳେ ଅନ୍ୟ ଶିକାରୀଙ୍କ ପତ୍ତା ମିଳୁନାହଁ। ସାତକୋଶିଆ ବନାଞ୍ଚଳ କେଶ ନମ୍ବର ୮୧/୨୦ ବନ୍ୟଜନ୍ତୁ ନିରାକରଣ ଆଇନ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେହିପରି ବାଲିଘାଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଗଛ କାଟୁଥିବା ଅଭିଯୋଗରେ ପଥୁରିଆସାହି ର ଗୁରୁଚରଣ ବାନ୍ଦିଆ(୨୧) କୁ ବନ ବିଭାଗ ଗିରଫ କରି କେଶ ନମ୍ବର ୮୦/୨୦ ଅନୁଯାୟୀ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ, ବନପାଳ ପରମେଶ୍ବର ମହାନ୍ତ, ବନରକ୍ଷୀ ଓ ପିଏ କର୍ମଚାରୀ ସାମିଲ ଥିଲେ ।