ଗଣତନ୍ତ୍ରର ମନ୍ଦିର ପାର୍ଲାମେଣ୍ଟ ବା ସଂସଦ

ଗଣତାନ୍ତ୍ରିକ ବ୍ୟବସ୍ଥା​‌ରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପାର୍ଲାମେଣ୍ଟ ବା ସଂସଦ। ଏବେ ଭାରତର ନୂଆ ସଂସଦ ଭବନ ନିର୍ମାଣ ହେବାକୁ ଯାଉଛି। ୯୭୧ କୋଟି ଟଙ୍କା ବ୍ୟୟରେ ପ୍ରାୟ ୬୪୫୦୦ ବର୍ଗମିଟର ପରିବ୍ୟାପ୍ତ ଅଞ୍ଚଳରେ ଏହା ନିର୍ମାଣ କରାଯିବ। ଟାଟା ଗ୍ରୁପ୍‌ ୨୦୨୨ ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବ ବୋଲି କହିଛି। ଏହି ଅବସରରେ ବିଶ୍ବର କେତେକ ସର୍ବପ୍ରାଚୀନ ଏବଂ ସବୁଠାରୁ ସୁନ୍ଦର ସଂସଦ ଭବନ ସମ୍ପର୍କରେ

ସଂସଦ ଭବନ, ଭାରତ
୨୦୨୨ରେ ଦେଶର ନୂଆ ସଂସଦ ଭବନ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଛି। ପୁରାତନ ଭବନ ନିକଟରେ ଏହା ନିର୍ମିତ ହେଉଥିବା ବେଳେ ତ୍ରିକୋଣାକାର ହେବ। ଏହା ଏବକାର ସଂସଦ ଭବନଠାରୁ ୧୭ହଜାର ବର୍ଗମିଟର ବଡ ହେବ ଏବଂ ଆସନ୍ତା ଶହେବର୍ଷ ପର୍ଯ୍ୟନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଡିଜାଇନ୍‌ ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଭୂମିକମ୍ପ ଜୋନ୍‌ ହୋଇଥିବାରୁ ଏହି ଭବନ ଉପରେ ଯେପରି ଭୂମିକମ୍ପର ପ୍ରଭାବ ପଡିବ ନାହିଁ- ତା’ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଏହି ଅତ୍ୟାଧୁନିକ ସୁବିଧା ସମ୍ପନ୍ନ ଭବନରେ ଏକ ଭବ୍ୟ ସମ୍ବିଧାନ କକ୍ଷ ମଧ୍ୟ ନିର୍ମିତ ହେବ। ଏକକାଳୀନ ୧୨୨୪ଜଣ ସଦସ୍ୟ ବସିପାରିବା ଭଳି ବ୍ୟବସ୍ଥା ଏହି ନୂତନ ଭବନରେ ରହିବ। ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଭାରତର ବର୍ତ୍ତମାନର ସଂସଦ ଭବନ ବ୍ରିଟିଶ ଶାସନକାଳରେ ନିର୍ମିତ ହୋଇଥିଲା। ୧୯୨୧ରୁ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇ ୧୯୨୭ରେ ଶେଷ ହୋଇଥିଲା। ଏହା ବିଶ୍ବର ଯେକୌଣସି ଦେଶ ତୁଳନାରେ ସର୍ବୋତ୍କୃଷ୍ଟ ବାସ୍ତୁକଳା ପ୍ରଦର୍ଶନ କରେ। ସଂସଦ ଭବନର କେନ୍ଦ୍ରୀୟ କକ୍ଷ ବା ସେଣ୍ଟ୍ରାଲ ହଲ୍‌ର ଗମ୍ବୁଜ ଖୁବ୍‌ ଭବ୍ୟ। ୧୯୪୭ ମସିହାରେ ଏହି ଐତିହାସିକ କକ୍ଷରେ ଇଂରେଜମାନେ ଭାରତୀୟଙ୍କୁ ଦେଶର ଶାସନଭାର ହସ୍ତାନ୍ତରଣ କରିଥିଲେ। ଏଠାେ​‌ର ନିର୍ମାଣ କାର୍ଯ୍ୟରେ ଲାଲ୍‌ ରଙ୍ଗର ପଥର ବ୍ୟବହାର କରାଯାଇଛି। କେନ୍ଦ୍ରୀୟ କକ୍ଷର ଦ୍ବାର ଉପରେ ପଞ୍ଚତନ୍ତ୍ରରୁ ଆନୀତ ଏକ ସଂସ୍କୃତ ଶ୍ଳୋକ ଲେଖାଯାଇଛି- ‘ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାମ୍‌। ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍‌। ଅର୍ଥାତ୍‌- ସଂକୀର୍ଣ୍ଣମନାମାନେ ନିଜ, ପର ବାଛବିଚାର କରିଥାନ୍ତି, କିନ୍ତୁ ବିଶାଳ ହୃଦୟର ବ୍ୟକ୍ତିଙ୍କ ପାଇଁ ସମଗ୍ର ବିଶ୍ବ ସେମାନଙ୍କ ପରିବାର ପରି।

 

କ୍ୟାପିଟଲ, ୱାଶିଂଟନ ଡିସି
ଯୁକ୍ତରାଷ୍ଟ୍ର ଆମେରିକାର ଏହି ସଂସଦ ଭବନ କ୍ୟାପିଟଲ ବିଲ୍‌ଡିଂ ୱାଶିଂଟନ୍‌ ଡିସିରେ କ୍ୟାପିଟଲ୍‌ ହିଲ୍‌ସ ଉପରେ ନିର୍ମିତ ହୋଇଛି। ଉଭୟ ଉତ୍ତର ଓ ଦକ୍ଷିଣ ଆମେରିକାରେ ଏହା ସର୍ବପ୍ରାଚୀନ ସଂସଦ ଭବନ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଏବଂ ୟୁଏସ୍‌ ଫେଡେରାଲ ଗଭର୍ଣ୍ଣମେଣ୍ଟର କାର୍ଯ୍ୟସ୍ଥଳ। ୧୭୯୩ ମସିହାରେ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇ ୧୮୦୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ପରେ ଏହି ଭବନର ପରିସର ବୃଦ୍ଧି କରାଯାଇଛି। ଏହାର ଦକ୍ଷିଣ ଭାଗରେ ହାଉସ୍ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ଏବଂ ଉତ୍ତରରେ ସିନେଟ୍‌ର କାର୍ଯ୍ୟ ଜାରି ରହେ। ବ୍ରିଟେନ ସଂସଦ ଭବନଠାରୁ ମଧ୍ୟ ଏହା ପୁରୁଣା।

ସର୍ବପ୍ରାଚୀନ ସଂସଦ
ଆଇସ୍‌ଲାଣ୍ଡର ସଂସଦ ଭବନ ବିଶ୍ବ​‌ରେ ସର୍ବପ୍ରାଚୀନ। ୯୩୦ ମସିହାରେ ଆଇସ୍‌ଲାଣ୍ଡର ରାଜଧାନୀ ରିକ୍‌ଜାଭିକଠାରୁ ୪୫କିଲୋମିଟର ପୂର୍ବରେ ପିଙ୍ଗଭେଲିରଠାରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହାର ନାମ ଆଲ୍‌ଥିଙ୍ଗ (ଆଇସ୍‌ଲାଣ୍ଡ ଭାଷାରେ ଏହାକୁ ଆଲ୍‌ପିଙ୍ଗି ବୋଲି ମଧ୍ୟ କୁହାଯାଏ)। ଆଇସ୍‌ଲାଣ୍ଡ ଏକ ଦେଶ ଭାବେ ପ୍ରତିଷ୍ଠା ହେବା ସମୟରେ ଆଲ୍‌ଥିଙ୍ଗ ନିର୍ମିତ ହୋଇଥିଲା। ଏଠାରେ ଜନବସତି ଆରମ୍ଭ ହେବାର ୬୦ବର୍ଷ ପରେ ସଂସଦ ଭବନ ନିର୍ମାଣ ହେଲା। ସଂସଦର ପ୍ରତିବର୍ଷର ଅଧିବେଶନ ମୁଖ୍ୟ ସାମାଜିକ କାର୍ଯ୍ୟକ୍ରମ ଭାବେ ପରିଚିତ ଥିଲା। ଏଥିରେ ଦେଶର ମୁକ୍ତ ମଣିଷମାନେ ଯୋଗଦେଇପାରୁଥିଲେ। ଅଧିବେଶନର କେନ୍ଦ୍ରସ୍ଥଳକୁ ଲଗ୍‌ବର୍ଗ (ଲ’ ରକ୍‌ ବା ଆଇନ୍‌ ପ୍ରସ୍ତର) କୁହାଯାଏ। ଏହି ପଥର ଉପରେ ବାଚସ୍ପତି ବସନ୍ତି। ଉପସ୍ଥିତ ଲୋକଙ୍କୁ ସମସ୍ତ ନିୟମ ଏବଂ ନିଷ୍ପତ୍ତି ଉଚ୍ଚ ସ୍ବରରେ ଜଣାଇବା ତାଙ୍କର ଦାୟିତ୍ବ ଥିଲା। ୧୨୬୨ରେ ଆଇସ୍‌ଲାଣ୍ଡ ଏବଂ ନରୱେ ମିଶିବା ପରେ ବି ୧୮୦୦ ମସିହା ପର୍ଯ୍ୟନ୍ତ ଆଲ୍‌ଥିଙ୍ଗ କାର୍ଯ୍ୟ କରୁଥିଲା। ୧୮୪୪ରେ ରିକ୍‌ଜାଭିକକୁ ସଂସଦ ଉଠିଆସିଲା ଏବଂ ବର୍ତ୍ତମାନର ସଂସଦ ଭବନ ଆଲ୍‌ପିଙ୍ଗିଶସ୍‌ ୧୮୮୧ରେ ପ୍ରତିଷ୍ଠା କରାଯାଇଥିଲା।

ରିଚ୍‌ଷ୍ଟାଗ, ଜର୍ମାନୀ
ଗତ ୧୨୦ ବର୍ଷଧରି ଜର୍ମାନୀ ଇତିହାସର ମୂକସାକ୍ଷୀ ପାଲଟିଥିବା ରିଚ୍‌ଷ୍ଟାଗ୍‌ ଏହି ଦେଶର ସଂସଦ ଭବନ। ୧୮୯୪ ମସିହାରେ ଏହା ଖୋଲାଯାଇଥିଲା। ତେବେ ୧୯୩୩ ମସିହାରେ ଅଗ୍ନିକାଣ୍ଡ, ଦ୍ବିତୀୟ ବିଶ୍ବଯୁଦ୍ଧ ଏବଂ ଜର୍ମାନୀ ବିଭାଜନ ଆଦି କାରଣରୁ ଏହି ଭବନ ବ୍ୟବହାର ହୋଇନପାରି ଅବହେଳିତ ଅବସ୍ଥାରେ ପଡିରହିଲା। ପ​‌େ​‌ର ଜର୍ମାନୀର ସଂଘୀୟ ସରକାର ଦେଶର ରାଜଧାନୀ ବନ୍‌ ପରିବର୍ତ୍ତେ ପୁଣି ବର୍ଲିନକୁ ଫେରାଇଆଣିବାକୁ ନିଷ୍ପତ୍ତି ନେବା ପରେ ଏହି ଭବନର ପୁନରୁଦ୍ଧାର କରାଯାଇଥିଲା। ଏବେ ଏହା ଉପରେ ଥିବା ଷ୍ଟିଲ୍‌ ଏବଂ କାଚରେ ତିଆରି ଗମ୍ବୁଜ ବର୍ଲିନ୍‌ ପର୍ଯ୍ୟଟକଙ୍କ ପାଇଁ ପ୍ରମୁଖ ଆକର୍ଷଣ। ଏଠାରୁ ସମଗ୍ର ବର୍ଲିନ୍‌ ସହର ଦେଖାଯାଏ। ସଂସଦ ଭବନ ସମ୍ମୁଖରେ ଜର୍ମାନୀ ଭାଷାରେ ଏହା ଜର୍ମାନୀର ଜନସାଧାରଣଙ୍କୁ ଉତ୍ସର୍ଗ କରାଯାଇଛି ବୋଲି ଲିଖିତ ଅଛି। ପ୍ରାୟ ୬୧ହଜାର ବର୍ଗମିଟର ଅଞ୍ଚଳରେ ଏହି ସଂସଦ ଭବନ ରହିଛି।

ୱେଷ୍ଟମିନିଷ୍ଟର ପ୍ୟାଲେସ୍‌, ଲଣ୍ଡନ
ଏହା ବ୍ରିଟେନ୍‌ର ସଂସଦ ଭବନ ହୋଇଥିବା ବେଳେ ସଂସଦର ଦୁଇଟି ସଦନ ହାଉସ୍‌ ଅଫ୍‌ କମନ୍‌ସ ଏବଂ ହାଉସ୍‌ ଅଫ୍‌ ଲର୍ଡସର ମିଳିତ ସଭାସ୍ଥଳ। ଏହାର ଇତିହାସ ହଜାରେ ବର୍ଷରୁ ଅଧିକ। ଥେମ୍‌ସ ନଦୀର ଉତ୍ତର କୂଳରେ ଥିବା ଏହି ଭବନରେ ଲାଗିଥିବା ପ୍ରସିଦ୍ଧ ବିଗ୍‌ବେନ ଘଣ୍ଟା ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ଏହା ୟୁରୋପର ସବୁଠାରୁ ପ୍ରସିଦ୍ଧ ସ୍ମାରକସ୍ଥଳ ମଧ୍ୟରୁ ପ୍ରମୁଖ। ଉଭୟ ସଦନ ଦ୍ବାରା ନିୟୋଜିତ କମିଟି ଏହି ଭବନର ରକ୍ଷଣାବେକ୍ଷଣ କରିଥାନ୍ତି। ରୁଷ୍‌ର ଜାର୍‌ ନିକୋଲାସ ପ୍ରଥମ ଏହାକୁ ପଥର​‌େ​‌ର ଏକ ସ୍ବପ୍ନ ବା ‘ଏ ଡ୍ରିମ୍‌ ଇନ୍‌ ଷ୍ଟୋନ୍‌’ ବୋଲି କହିଥିଲେ।

ହଙ୍ଗେରୀ ସଂସଦ, ବୁଦାପେଷ୍ଟ
ହଙ୍ଗେରୀର ଏହି ସଂସଦ ଭବନ ଦାନୁବ୍‌ ନଦୀ କୂଳରେ ଅବସ୍ଥିତ। ଏହା ପାର୍ଲାମେଣ୍ଟ ଅଫ୍‌ ବୁଦାପେଷ୍ଟ ତଥା ହାଉସ୍‌ ଅଫ୍‌ ଦି କଣ୍ଟ୍ରି ଭାବେ ପରିଚିତ। ବୁଦାପେଷ୍ଟର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀଗୁଡିକ ମଧ୍ୟରୁ ଏହା ଅନ୍ୟତମ। ଏହାର ନିର୍ମାଣ କାର୍ଯ୍ୟ ୧୮୮୫ ମସିହାରେ ଆରମ୍ଭ ହୋଇ ୧୯୦୪ ମସିହାରେ ଶେଷ ହୋଇଥିଲା। ଏଯାବତ୍‌ ଏହା ହଙ୍ଗେରୀର ସବୁଠାରୁ ବଡ ଅଟ୍ଟାଳିକା ହେବା ସହ ବୁଦାପେଷ୍ଟରେ ସର୍ବୋଚ୍ଚ ଅଟ୍ଟାଳିକାର ମାନ୍ୟତା ପାଇଛି। ଏହି ସଂସଦ ଭବନ ୟୁରୋପର ସର୍ବପୁରାତନ ଭବନଗୁଡିକ ମଧ୍ୟରୁ ଅନ୍ୟତମ। ଏହାର ନିର୍ମାଣ କାର୍ଯ୍ୟରେ ୪୦ କିଲୋଗ୍ରାମ ସୁନା ବ୍ୟବହାର କରାଯାଇଥିଲା। ୧୯୧୭ରୁ ୧୯୨୧ ମଧ୍ୟରେ ହଙ୍ଗେରୀରେ ପ୍ରଚଳିତ ପ୍ରାୟ ୫୦ଟି ଡାକଟିକଟରେ ଏହି ଭବନର ଫଟୋ ରହିଛି।

ସେଣ୍ଟର ବ୍ଲକ୍‌, କାନାଡା
ଓଟାୱାଠାରେ କାନାଡାର ଏହି ସଂସଦ ଭବନ ରହିଛି। ଜିନ୍‌ ଓମର ମର୍ଚ୍ଚାଣ୍ଡ୍‌ ଏବଂ ଜନ୍‌ ଆଣ୍ଡ୍ର୍ୟୁ ପିୟର୍ସନ ଏହାର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ। ପାର୍ଲାମେଣ୍ଟ ପାହାଡ ଉପରେ ଥିବା ଏହି ଭବନରେ ହାଉସ୍‌ ଅଫ୍‌ କମନ୍‌ସ, ସିନେଟ୍‌ ଚ୍ୟାମ୍ବର ସହିତ ଏକାଧିକ କାର୍ଯ୍ୟାଳୟ ଅଛି। ବିଭିନ୍ନ ପ୍ରକାର ସମାରୋହ ପାଇଁ ଏଠାରେ ହଲ୍‌ ଅଫ ଅନର, ଦି ମେମୋରିଆଲ ଚାମ୍ବର, କନ୍‌ଫେଡେରେସନ୍‌ ହଲ୍‌ ଆଦି ରହିଛି। ମୂଳ ସେଣ୍ଟର ବ୍ଲକ୍‌ ୧୯୧୬ ମସିହାରେ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯିବା ପରେ ତୁରନ୍ତ ଏହାର ପୁନଃନିର୍ମାଣ କରାଯାଇଥିଲା। ଏହି ଭବନର ମୁଖ୍ୟ ବାସ୍ତୁକଳା ହେଉଛି ଏହାର ମଧ୍ୟଭାଗରେ ଥିବା ଏକ ଟାୱାର। ଏହା ବିଜୟ ଏବଂ ଶାନ୍ତିର ଟାୱାର ଭାବେ ମଧ୍ୟ ପରିଚିତ। ଏଥିରେ ଘଣ୍ଟି ସହିତ ଏକ ବିଶାଳ ଘଣ୍ଟା ଲଗାଯାଇଛି।

Comments are closed.