ଶିଶୁ ଯତ୍ନ କେନ୍ଦ୍ରକୁ ଗଲେ ବାପା-ମାଆ ଛେଉଣ୍ଡ ଭାଇଭଉଣୀ

ଝାରସୁଗୁଡ଼ା : କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣେ ମାଆ ଙ୍କର ଦୁଇ ଅସହାୟ ଶିଶୁଙ୍କୁ ଚାଇଲ୍ଡ ଲାଇନ ଉଦ୍ଧାର କରି ଥଇଥାନ କରିଛି। ବ୍ରଜରାଜନଗର ଅଞ୍ଚଳର ୭ବର୍ଷ ଯାଆଁଳା​‌ ଭାଇ ଭଉଣୀଙ୍କ ବାପା ୨ବର୍ଷ ପୂର୍ବରୁ କୌଣସି କାରଣରୁ ପ୍ରାଣ ହରାଇଥିବା ବେଳେ ତାଙ୍କ ମା’ ଉଭୟଙ୍କୁ ଏକାକୀ ଲାଳନପାଳନ କରୁଥିଲେ। ହେଲେ ଗତ ମାସ ୧୯ତାରିଖ ସେ କରୋନାରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ହେଁ ୨୩ ତାରିଖ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଏହି ଅସହାୟ ଭାଇ ଭଉଣୀଙ୍କ ବିଷୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସୂଚନା ପାଇବା ପରେ ଚାଇଲ୍ଡ ଲାଇନ ଜିଲା ସଂଯୋଜକ ଆଶିଷ କୁମାର ପଣ୍ଡାଙ୍କୁ ସୂଚନା ଦେଇଥିଲେ। ଚାଇଲ୍ଡ ଲାଇନ ପକ୍ଷରୁ ସ୍ଥାନୀୟ ସିଡିପିଓ, ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ଓ ପୂର୍ବତନ ୱାର୍ଡ ସଭ୍ୟଙ୍କ ସହାୟତାରେ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ବ୍ରଜରାଜନଗର ଥାନାରେ ସୂଚନା ପ୍ରଦାନ କରିବା ସହ କୋଭିଡ଼ ପରୀକ୍ଷା କରାଯାଇଥିଲା। କୋଭିଡ ମୁକ୍ତ ରିପୋର୍ଟ ଆସିବା ପରେ ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଥିବା ଚାଇଲଡ଼ ଲାଇନ ସଂଯୋଜକ ସୂଚନା ଦେଇଛନ୍ତି। ଅସହାୟ ଶିଶୁ ଦ୍ୱୟଙ୍କ ସମସ୍ତ ଦାୟିତ୍ୱ ସରକାର ବହନ କରିବେ ବୋଲି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଆନନ୍ଦିନୀ ପାଢ଼ୀ ଓ ଡିସିପିଓ ସୁନନ୍ଦ ମହାରଣା କହିଛନ୍ତି ।

Comments are closed.