ଏଲଏସିରେ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ

ଭୁବନେଶ୍ଵର: ଲଦାଖର ଗଲୱାନ ଘାଟିରେ ସୋମବାର ବିଳମ୍ବିତ ରାତିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନ ଥିଲେ ହେଁ ଜଣେ ଯବାନଙ୍କ ପରିବାର ନିକଟକୁ ତାଙ୍କ ପୁଅ ଶହୀଦ ହୋଇଥିବା ନେଇ ଖବର ମିଳିଛି। ଏହି ଶହୀଦ ଯବାନ ଜଣକ ହେଲେ ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ତାଙ୍କ ଘର କନ୍ଧମାଳ ଜିଲା ରାଇକିଆର ବିଅରପାଙ୍ଗା ଗାଁରେ। ଚନ୍ଦ୍ରକାନ୍ତ ୬ ବର୍ଷ ତଳେ ଭାରତୀୟ ସେନାରେ ଯୋଗଦେଇଥିଲେ। ଚନ୍ଦ୍ରକାନ୍ତ ଶହୀଦ ହୋଇଥିବା ନେଇ ସେନାର ଅନ୍ୟ ଜଣେ ଯବାନ ଚନ୍ଦ୍ରକାନ୍ତଙ୍କ ଫୋନରୁ ତାଙ୍କ ଘରକୁ ଫୋନ୍‌ କରି ସୂଚନା ଦେଇଥିବା ପରିବାର ଲୋକେ କହିଛନ୍ତି।

ଅନ୍ୟ ଜଣେ ଜବାନ ହେଉଛନ୍ତି ନନ୍ଦୁରାମ ସୋରେନ ଏବଂ ତାଙ୍କ ଘର ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଅଞ୍ଚଳରେ। ସେ ବିହାର-୧୬ ରେଜିମେଣ୍ଟରେ ଯୋଗଦେଇଥିଲେ ବୋଲି ଜଣାପଡ଼ିଛି। ସେ ୨ ବର୍ଷ ତଳେ ଲଦାଖରେ ଡ୍ୟୁଟିରେ ଯୋଗଦେଇଥିଲେ। ତାଙ୍କ ମୃତ୍ୟୁ ନେଇ ମଧ୍ୟ ତାଙ୍କ ପରିବାର ଲୋକଙ୍କ ନିକଟକୁ ଫୋନ୍‌ ଯୋଗେ ସୂଚନା ମିଳିଥିବା ଜଣାପଡ଼ିଛି।

Comments are closed.