ଲକ୍ଷ୍ନୌ, ଅହମ୍ମଦାବାଦ ଆଇପିଏଲ୍‌ର ୨ ନୂଆ ଦଳ

ଆର୍‌ପିଏସ୍‌ଜି (୭୦୯୦ କୋଟି), ସିଭିସି କ୍ୟାପିଟାଲ୍‌ (୫୬୨୫ କୋଟି)କୁ ମିଳିଲା ମାଲିକାନା

ଦୁବାଇ : ବିଶ୍ବର ସବୁଠାରୁ ଲୋକପ୍ରିୟ, ବଡ଼ ଓ ଧନଶାଳୀ ପେସାଦାର ଟ୍ବେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ପରିବାରରେ ସାମିଲ ହୋଇଛନ୍ତି ଆଉ ୨ଟି ନୂଆ ସହର ଲକ୍ଷ୍ନୌ ଓ ଅହମ୍ମଦାବାଦ । ଫଳରେ ୨୦୨୨ ଆଇପିଏଲ୍‌ ଋତୁରେ ୧୦ଟି ଦଳ ଖେଳିବେ । ସୋମବାର ଦୁବାଇର ତାଜ୍ ହୋଟେଲରେ ୬ ଘଣ୍ଟା ଧରି ନୂତନ ୨ଟି ଆଇପିଏଲ୍‌ ଦଳର ମାଲିକାନା ପାଇଁ ନିଲାମ ହୋଇଥିଲା। ଏଥିରେ ସର୍ବାଧିକ ୭୦୯୦ କୋଟି ଟଙ୍କା ମୂଲ୍ୟରେ ଦେଶର ପ୍ରମୁଖ ବ୍ୟବସାୟିକ ସଂସ୍ଥା ଆର୍‌.ପି. ସଞ୍ଜୀବ ଗୋଏଙ୍କା ଗ୍ରୁପ୍‌ (ଆର୍‌ପିଏସ୍‌ଜି) ଲକ୍ଷ୍ନୌର ଫ୍ରାଞ୍ଚାଇଜି ଦଳର ମାଲିକାନା ହାସଲ କରିବାକୁ ସଫଳ ହୋଇଛି। ସେହିପରି ସିଭିସି କ୍ୟାପିଟାଲ୍‌ ପାର୍ଟନର୍‌ସ (ଇରେଲିଆ କମ୍ପାନୀ ପିଟିଇ ଲିମିଟେଡ୍‌) ୫୬୨୫ କୋଟି ଟଙ୍କା ମୂଲ୍ୟରେ ଅହମ୍ମଦାବାଦର ଫ୍ରାଞ୍ଚାଇଜିର ମାଲିକାନା ହାସଲ କରିଛି । ଫଳରେ ଏହି ୨ଟି ଦଳ ପାଇଁ ବିସିସିଆଇ ମୋଟ ୧୨୭୧୫ କୋଟି ଟଙ୍କା ହାସଲ କରିପାରିଛି । ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ଛାଡ଼ି ଆଇପିଏଲ୍‌ ଫ୍ରାଞ୍ଚାଇଜି ହାସଲ କରିବା ଦୌଡ଼ରେ ଥିଲେ ଓଡ଼ିଶାର କଟକ, ଇନ୍ଦୋର, ପୁଣେ, ଗୁଆହାଟୀ, ରାଞ୍ଚି ଓ ଧର୍ମଶାଳା। କଟକର ଦଳ କିଣିବା ପାଇଁ ଜିନ୍ଦଲ ଗ୍ରୁପ୍‌ ଦାବି ଉପସ୍ଥାପନ କରିଥିଲେ ହେଁ ଆର୍‌ପିଏସ୍‌ଜି ଓ ସିଭିସି କ୍ୟାପିଟାଲ୍‌ସ ପାର୍ଟନର୍‌ସର ଦାବିଠାରୁ ପଛରେ ପଡ଼ି ଯାଇଛନ୍ତି। ଫଳରେ କଟକର ଆଇପିଏଲ୍‌ ଦଳ ପାଇଁ ଓଡ଼ିଶାର କ୍ରିକେଟ୍‌ପ୍ରେମୀ ଯେଉଁ ଆଶା ରଖିଥିଲେ; ସେମାନେ ନିରାଶ ହୋଇଛନ୍ତି ।
ବିସିସିଆଇ ଉଭୟ ନୂତନ ଦଳର ମୂଳ ନିଲାମ ମୂଲ୍ୟ ୨୦୦୦ କୋଟି ଟଙ୍କା ରଖିଥିବା ବେଳେ ୨୨ଟି ସଂସ୍ଥା ବା ବ୍ୟକ୍ତି ବିଶେଷ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେଇ ଟେଣ୍ଡର କାଗଜାତ କିଣିଥିଲେ । ସେମାନଙ୍କ ମଧ୍ୟରୁ ୯ ଜଣ ଦୁଇଟି ନୂଆ ଆଇପିଏଲ୍‌ ଦଳର ମାଲିକାନା ହାସଲ ପାଇଁ ସେମବାର ଦାବି ଉପସ୍ଥାପନ କରିଥିଲେ। ପ୍ରମୁଖ ବ୍ୟବସାୟୀ ତଥା କୋଟିପତି ସଞ୍ଜୀବ ଗୋଏଙ୍କାଙ୍କ ସଂସ୍ଥା ଆର୍‌ପିଏସ୍‌ଜି ଗ୍ରୁପ୍ ଲକ୍ଷ୍ନୌ ଦଳ କିଣିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଗୋଏଙ୍କା ୨ ବର୍ଷ ପାଇଁ ଆଇପିଏଲ୍‌ ଦଳ ରାଇଜିଂ ପୁଣେ ସୁପରଜ୍ୟାଣ୍ଟ୍‌ସର ମାଲିକାନା ହାସଲ କରିଥିବା ବେଳେ ଆଇଏସ୍‌ଏଲ୍‌ ଦଳ ଏଟିକେ ମୋହନ ବାଗାନ୍‌ ଦଳକୁ କିଣିଛନ୍ତି। ଗୌତମ ଅଦାନିଙ୍କ ଅଦାନି ଗ୍ରୁପ୍ ଅହମ୍ମଦାବାଦର ଦଳ କିଣିବା ଲାଗି ବେଶ୍ ଆଗ୍ରହୀ ଥିଲେ ହେଁ ସିଭିସି କ୍ୟାପିଟାଲ୍‌ ପ୍ୟାର୍ଟନର୍‌ସଠାରୁ ପଛରେ ପଡ଼ିଯାଇଛି। ଅପ୍‌ଟିମସ୍ ଇନ୍‌ଫ୍ରା, କୋଟକ ଗ୍ରୁପ୍‌, ଟରେଣ୍ଟ ଓ ଅରବିନ୍ଦ ଫାର୍ମା, ଲାନ୍‌ସର କ୍ୟାପିଟାଲ, ଜିନ୍ଦଲ ପ୍ରମୁଖ ଦାବି ଉପସ୍ଥାପନ କରିଥିଲେ ହେଁ ସେମାନେ ନିରାଶ ହୋଇଛନ୍ତି। ଉଭୟ ଦଳ କିଣିବା ପାଇଁ ମୂଳ ନିଲାମ ମୂଲ୍ୟ ୨୦୦୦ କୋଟି ଟଙ୍କା ରଖା ଯାଇଥିବା ବେଳେ ଆର୍‌ପିଏସ୍‌ଜି ମାଲିକ ସଞ୍ଜୀବ ଗୋଏଙ୍କା ଏହାର ୨୫୦ ପ୍ରତିଶତ ଅର୍ଥ ଦେବାକୁ ଦାବି ଉପସ୍ଥାପନ କରି ଲକ୍ଷ୍ନୌ ଦଳର ମାଲିକାନା ହାସଲ କରିଛନ୍ତି। ସଞ୍ଜୀବ ଗୋଏଙ୍କା କହିଛନ୍ତି, ଆଇପିଏଲ୍‌କୁ ଫେରିଥିବାରୁ ମୁଁ ବହୁତ ଖୁସି। ଏହା ପ୍ରାଥମିକ ପଦକ୍ଷେପ। ଏବେ ଆମକୁ ଏକ ଭଲ ଦଳ ଗଠନ କରିବା ସହ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ମୂଳ ନିଲାମ ମୂଲ୍ୟ ନିଲାମ ମୂଲ୍ୟଠାରୁ ୧୬୦ ପ୍ରତିଶତ ଅଧିକ ଅର୍ଥ ଦେବାର ଦାବି ଉପସ୍ଥାପନ କରି ସିଭିସି କ୍ୟାପିଟାଲ୍‌ସ ପାର୍ଟନର୍‌ସ ଅହମ୍ମଦାବାଦ ଦଳର ମାଲିକାନା ହାସଲ କରିଛି। ୨ଟି ଲେଖାଏଁ ବନ୍ଦ ଲଫାଫାରେ ୯ଟି ବ୍ୟାବସାୟିକ ସଂସ୍ଥା ଦାବି ଉପସ୍ଥାପନ କରିଥିଲେ। ବିସିସିଆଇର ସମସ୍ତ କର୍ମକର୍ତ୍ତା ତଥା ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟଙ୍କ ସମ୍ମୁଖରେ ଏହି ଦାବି ଲଫାଫା ଖୋଲା ଯାଇଥିଲା। ଏଥିରେ ପ୍ରଥମ ୨ଟି ସ୍ଥାନରେ ରହିଥିଲେ ଆର୍‌ପିଏସ୍‌ଜି (ଲକ୍ଷ୍ନୌ) ଓ ସିଭିସି କ୍ୟାପିଟାଲ୍‌ସ ପାର୍ଟନର୍‌ସ (ଅହମ୍ମଦାବାଦ)। ଉଭୟ ସଂସ୍ଥା ଆସନ୍ତା ୧୦ ବର୍ଷରେ ଏକାଧିକ କିସ୍ତିରେ ବିସିସିଆଇକୁ ସେମାନେ ଦାବି କରିଥିବା ଅର୍ଥ ପ୍ରଦାନ କରିବେ। ୨ଟି ନୂଆ ଦଳ ଆଇପିଏଲ୍‌ରେ ସାମିଲ ହେବା ଫଳରେ ଅଧିକ ଘରୋଇ କ୍ରିକେଟର ଏଥିରେ ଖେଳିବାର ସୁଯୋଗ ପାଇବେ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି।

Comments are closed.