ନେତାଙ୍କ ଦାଦାଗିରି: ନିୟମ ଭାଙ୍ଗି ଜୋର ଜବରଦସ୍ତ ଟିକା ନେଲେ ୨ ବିଧାୟକ

ଭାରତରେ ଶନିବାରଠାରୁ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆଗଧାଡ଼ିର ଯୋଦ୍ଧା ଯେପରି କି ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ଏବଂ ଡାକ୍ତରଙ୍କୁ ମାଗଣା ଟିକା ଦିଆଯିବାକୁ ବ୍ୟବସ୍ଥା ହୋଇଛି। ତେବେ ଜନପ୍ରତିନିଧିମାନେ କରୋନା ଯୋଦ୍ଧା ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ହେଁ ଟିକାକରଣର ପ୍ରଥମ ଦିନରେ କିଛି ବିଧାୟକ ଜୋର ଜବରଦସ୍ତ ଟିକା ନେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ।ବିଧାୟକଙ୍କ ଏପରି ଦାଦାଗିରିକୁ ସାଧାରଣରେ ନାପସନ୍ଦ କରାଯାଇଛି।

ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାରେ ଭାଟାର ନିର୍ବାଚନମଣ୍ଡଳୀର ଟିଏମସି ବିଧାୟକ ଆଜି ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ଟିକା ନେଇଛନ୍ତି। ତାଙ୍କୁ ଟିକା ନେବାକୁ ବାରଣ କରାଯାଇଥିଲେ ହେଁ ବିଧାୟକ ଜଣକ ଜୋର ଜବରଦସ୍ତ ଟିକା ନେଇଥିଲେ। ଏହି ଗୋଟିଏ ଘଟଣା ନୁହେଁ, ଟିଏମସିର ଆଉ ଜଣେ ବିଧାୟକ ବି ନିୟମ ଉଲ୍ଲଂଘନ କରିଛନ୍ତି। କଟୱା ବିଧାୟକ ରବି ଚାଟାର୍ଜୀ ଜୋର ଜବରଦସ୍ତ ଟିକା ନେଇଥିଲେ।

ଏହି ଦୁଇଟି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଜନପ୍ରତିନିଧି ହୋଇ ନିୟମକୁ ଏପରି ଉଲ୍ଲଂଘନ କରିବା ଘଟଣାକୁ ଲୋକେ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ଦେଶରେ ପ୍ରଥମ ଦଫାରେ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯାଉଛି। ଏହି ଅଭିଯାନ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ।

Comments are closed.