ଇବ ନଦୀକୁ ଖସିପଡ଼ିଲା ହାଇୱା: ୨ ନିଖୋଜ

ଝାରସୁଗୁଡ଼ା: ଝାରସୁଗୁଡ଼ା ନିକଟସ୍ଥ ଇବ ନଦୀ ପୋଲ ଉପରୁ ଏକ ହାଇୱା ନଦୀକୁ ଖସି ପଡ଼ିବାରୁ ୨ ଜଣ ନିଖୋଜ ହୋଇଛନ୍ତି । ଡ଼୍ରାଇଭରକୁ ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ନିଖୋଜ ୨ ଜଣ ମୃତ୍ୟୁବରଣ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ପଟରୁ ଝାରସୁଗୁଡ଼ା ଜିଲା ରଂପେଲା ପଟକୁ ଯାଉଥିବା ଏକ ଦ୍ରୁତଗାମୀ ହାଇବା ଇବ ସେତୁ ବାଡ଼ ଭାଙ୍ଗି ନଦୀ ଭିତରକୁ ଖସି ପଡ଼ିଥିଲା । ଚାଳକ ଜଣକ କୌଣସି ମତେ ଗାଡ଼ି ଭିତରୁ ବାହାରି ଜୀବନ ବଞ୍ଚାଇବା ପାଇଁ ପହଁରି କୂଳକୁ ଆସିବାକୁ ଉଦ୍ୟମ କରୁଥିବା ବେଳେ ମତ୍ସ୍ୟଜୀବୀ ମାନେ ତାକୁ ଉଦ୍ଧାର କରିଥିଲେ । ତାଙ୍କର ନାମ ଆଦିତ୍ୟ ସାହୁ। ଅନ୍ୟ ନିଖୋଜ ଥିବା ଦୁଇ ଜଣ ଜିତେନ୍ଦ୍ର ସାହୁ ଓ ପପୁ ସାହୁ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Comments are closed.