ଶ୍ରୀଲଙ୍କା ବିସ୍ଫୋରଣ; ଆତ୍ମଘାତୀ ଆକ୍ରମଣକାରୀଙ୍କ ମଧ୍ୟରେ ଥିଲେ କୋଟିପତି ବ୍ୟବସାୟୀଙ୍କ ୨ ପୁଅ

କଲୋମ୍ବୋ: ଶ୍ରୀଲଙ୍କାର କଲୋମ୍ବୋରେ ଗତ ୨୧ ତାରିଖରେ ଘଟିଥିବା ସିରିଜ ବିସ୍ଫୋରଣ ଘଟଣାରେ ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆକ୍ରମଣକାରୀ ଆତ୍ମଘାତୀ ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀଲଙ୍କାର କୋଟିପତି ମସଲା ବ୍ୟବସାୟୀ ମହମ୍ମଦ ୟୁସୁଫ ଇବ୍ରାହିମଙ୍କ ୨ ପୁଅ ଇଲହାମ ଇବ୍ରାହିମ ଏବଂ ଇନ୍‌ସାଫ ରହିଥିଲେ। ଏହି ଦୁଇ କୋଟିପତି ଭାଇ ଶାଙ୍ଗ୍‌ରି-ଲା ଏବଂ ସିନାମାଁନ ଗ୍ରାଣ୍ଡ ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜକୁ ବୋମା ସହ ଉଡ଼ାଇ ଦେଇଥିଲେ। ହୋଟେଲରେ ସକାଳ ସମୟରେ ଜଳଖିଆ କରିବାକୁ ଧାଡ଼ିରେ ଛିଡ଼ା ହୋଇଥିବା ଅତିଥିମାନଙ୍କ ସହ ଏହି ଦୁଇ ଭାଇ ଧାଡ଼ିରେ ରହି ଏଭଳି କାଣ୍ଡ ଘଟାଇଥିଲେ।

ଏହି ଦୁଇ ଭାଇଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ଏମାନେ ଇସଲାମିକ ସଂଗଠନ ନ୍ୟାଶନାଲ ତୋହୀଦ ଜମାତର ସଦସ୍ୟ ଥିଲେ। ଏହା ସହିତ ନିଜର ପାରିବାରିକ ଆତଙ୍କୀ ସେଲ ଚଳାଉଥିଲେ। ନିଜ ପରିବାର ସଦସ୍ୟଙ୍କୁ ଆତଙ୍କୀ ସେଲରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲେ। ସିରିଜ ବିସ୍ଫୋରଣ ପଛରେ ଏହି ପରିବାରର ସମ୍ପୃକ୍ତି ଥିବା ଜଣାପଡ଼ିଛି। କାରଣ ବର୍ତ୍ତମାନ ସୁଦ୍ଧା ପୁଲିସ ୫୮ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ପରିବାରର। ବିଦେଶୀ ଆତଙ୍କୀ ସଂଗଠନ ଦ୍ବାରା ଏହି ପରିବାରର ସମ୍ପର୍କ ରହିଛି କି ନାହିଁ ଏବଂ ଏତେବଡ଼ ଧନୀ ପରିବାର କିପରି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ସେ ନେଇ ପୁଲିସ ତଦନ୍ତ ଚଳାଇଛି।

ବିସ୍ଫୋରଣରେ ନିଜକୁ ଉଡ଼ାଇଲେ ସ୍ତ୍ରୀ:

ଦୁଇ ଭାଇ ହୋଟେଲରେ ରହିବା ସମୟରେ ଭୁଲ ଠିକଣା ଦେଇଥିଲେ। ପୁଲିସ ଏହାର ତଦନ୍ତ ପରେ ସେମାନଙ୍କ ପ୍ରକୃତ ଠିକଣା ଜାଣିବାକୁ ପାଇଥିଲା। ଏହା ପରେ ସେଠାରେ ଚଢ଼ାଉ କରିବାକୁ ଯାଇଥିଲା। ଘରେ ଇଲହାମ ଇବ୍ରାହିମଙ୍କ ପତ୍ନୀ ଫାତିମା ଉପସ୍ଥିତ ଥିଲେ। କିନ୍ତୁ ଘଟଣା ସମ୍ପର୍କରେ ପୁଲିସକୁ ତଥ୍ୟ ମିଳିଯାଇଥିବା ଜାଣି ସେ ମଧ୍ୟ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ଏଥିରେ ତାଙ୍କର ୨ ସନ୍ତାନ ମଧ୍ୟ ପ୍ରାଣ ହରାଇଥିଲେ।

Comments are closed.