କେନ୍ଦୁଝର ଜିଲାର ୨ଟି ସ୍ଥାନରେ ହେବ ‘ମିଲେଟ ଶକ୍ତି କାଫେ’

ରାଜ୍ୟରେ ପ୍ରଥମ

କେନ୍ଦୁଝର : ବଣପାହାଡ଼ ଘେରା କେନ୍ଦୁଝର ଜିଲା ଏହାର ଆକର୍ଷଣୀୟ ପ୍ରାକୃତିକ ଶୋଭାରାଜି ପାଇଁ ଯେତିକି ଜନମାନସରେ ଖ୍ୟାତି ଲାଭ କରିଛି, ତା’ଠାରୁ ଅଧିକ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀ ମାଣ୍ଡିଆ, ବାଜରା, ଯଅ, କୁସୁମକୋଳି, ପୁଢ଼େଇ କୋଳି ଆଦିର ଉତ୍ପାଦନ ପାଇଁ ସୁନାମ ହାସଲ କରିଛି। ଏଠାକାର ମାଇଲ ମାଇଲ ବ୍ୟାପୀ ଲମ୍ବିଥିବା ପାହାଡ଼, ଘଞ୍ଚ ଶାଳ ଜଙ୍ଗଲ ଆଦି ଇଲାକାରେ ଚାଷ କରାଯାଇଥିବା ଏହି ପାରମ୍ପରିକ ଖାଦ୍ୟ ସାମଗ୍ରୀର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ହେଲେ ଆଧୁନିକତାର ଦ୍ୱାହି ଦେଇ ଏହି ପାରମ୍ପରିକ ଜଙ୍ଗଲଜାତ ଖାଦ୍ୟ ସାମଗ୍ରୀର ଚାହିଦା କ୍ରମଶଃ ହ୍ରାସ ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମିଲେଟ ମିଶନ, ଜିଲା ଖଣିଜ ପାଣ୍ଠି ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଜିଲାର ଘଟଗାଁସ୍ଥିତ ତାରିଣୀ ମନ୍ଦିର ଏବଂ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବହୁ ପ୍ରତିକ୍ଷୀତ ‘ମିଲେଟ ଶକ୍ତି କାଫେ’ ପ୍ରତିଷ୍ଠା କରାଯିବା ଲାଗି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ସେପ୍ଟେମ୍ବର ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇ ପ୍ରସ୍ତୁତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।
ରାଜ୍ୟର ଖଣି ପ୍ରଭାବିତ କେନ୍ଦୁଝର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ ଓ ଯାଜପୁର ଆଦି ଜିଲାରେ ଏହି ‘ମିଲେଟ ଶକ୍ତି କାଫେ’ ନିର୍ମାଣ କରାଯିବା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି ହେବା ପରେ କେନ୍ଦୁଝର ଜିଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଥିଲା। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଥିନେଇ ସମସ୍ତ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଛି। ତେବେ ଅନ୍ୟ କୌଣସି ଜିଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇ ନଥିବାବେଳେ କେନ୍ଦୁଝର ଜିଲାରେ ଏହା ପ୍ରଥମ କରି କାର୍ଯ୍ୟକାରୀ ହେବାକୁ ଯାଉଛି। ପ୍ରତି କାଫେ ପିଛା ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଏହାଛଡ଼ା ଏହାର ପରିଚାଳନା ଭାର ପ୍ରଶାସନ ଦ୍ୱାରା ମନୋନୀତ ଗ୍ରାମପଞ୍ଚାୟତସ୍ତରୀୟ ଅଗ୍ରଣୀ ସ୍ୱୟଂସହାୟକ ଗୋଷ୍ଠୀ ଉପରେ ନ୍ୟସ୍ତ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ଲଡ଼ୁ, ମାଣ୍ଡିଆ ଖିରି, ମାଣ୍ଡିଆ ଚପ, ମାଣ୍ଡିଆ ହାଲୁଆ ଆଦି ଇଚ୍ଛୁକ ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିକ୍ରୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ବ୍ୟୟ ଅଟକଳ ମଧ୍ୟରୁ ପ୍ରାୟ ୭ଲକ୍ଷ ଟଙ୍କା ଜିଲା ଖଣିଜ ପାଣ୍ଠିରୁ ଯୋଗାଇ ଦିଆଯିବାକୁ କୁହାଯାଇଥିବାବେଳେ ଅବଶିଷ୍ଟ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଦିଆଯିବ ବୋଲି ଜଣାପଡ଼ିଛି। ଉକ୍ତ କାଫେ ପାଇଁ ନିର୍ମାଣ କରାଯାଉଥିବା କାର୍ଯ୍ୟାଳୟ ଗୃହ ଏବଂ ଗ୍ରାହକଙ୍କ ବୈଠକ ସ୍ଥଳ ଆଦି ମିଶନ୍‍ ଶକ୍ତି ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯାଉଥିବା ଜଣାପଡ଼ିଛି। ସମଗ୍ର ରାଜ୍ୟରେ ପ୍ରଥମ ଥର ପାଇଁ କେନ୍ଦୁଝରରେ ଏହି ବହୁ ପ୍ରତିକ୍ଷୀତ କାଫେ ନିର୍ମାଣ କରାଯାଉଥିବା ଜଣାପଡ଼ିବା ପରେ ଜିଲାବାସୀଙ୍କ ମଧ୍ୟରେ ଏଥିନେଇ ଖୁସିର ଲହରୀ ଦେଖିବାକୁ ମିଳିଛି ।

Comments are closed.