ବିନ୍ଧାଣିମା ଓ ବାଲିପୁଟ ପଞ୍ଚାୟତ କଣ୍ଟେନମେଣ୍ଟ ଘୋଷଣା

ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଜରୁରୀ ବୈଠକ

ତିଗିରିଆ : ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ତିଗିରିଆ ଅଞ୍ଚଳର ସ୍ଥିତି କ୍ରମେ ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି।  ସଂକ୍ରମଣର ପ୍ରତିରୋଧ ଲାଗି ରବିବାର କଟକ ଜିଲ୍ଲାପାଳ ଭବାନି ଶଙ୍କର ଚୟନି  ଏହି ବ୍ଲକର ଦୁଇଟି ପଞ୍ଚାୟତ, ବିନ୍ଧାଣିମା ଓ ବାଲିପୁଟକୁ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି।

ରବିବାର ସକାଳ ୬ଟାରୁ ୨୭ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ୫ଦିନ ପାଇଁ ଦୁଇ ପଞ୍ଚାୟତକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି। ବିନ୍ଧାଣିମାରେ ଜଣେ ମୃତକଙ୍କ ଶବ ସତ୍କାର ପରେ କରୋନା ପଜିଟିଭ ରିପୋର୍ଟ ଆସିବା କାରଣରୁ ମୃତକଙ୍କ ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୯୩ଜଣଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା। ସେଥି ମଧ୍ୟରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଆଧାରରେ ୬୩ଜଣଙ୍କ ପଜିଟିଭ ରିପୋର୍ଟ ଆସିଥିବା ଏବଂ ଅନ୍ୟପଟେ ପଡ଼ୋଶୀ ବାଲିପୁଟ ପଞ୍ଚାୟତରେ ଅନୁଷ୍ଠିତ ଏକ ଆଣ୍ଟିଜେନ ଟେଷ୍ଟ ଶିବିରରେ ୧୮୧ଜଣଙ୍କ ମଧ୍ୟରୁ ୯ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ରିପୋର୍ଟ ଆସିଥିବା ତିଗିରିଆ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱ ବିକାଶ ରାଉତରାୟ ଏବଂ ବିଡ଼ିଓ ଦିପ୍ତିମୟୀ ବେହେରାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ତିଗିରିଆ ବ୍ଲକରେ ଏପର୍ଯ୍ୟନ୍ତ ୨୧୧ଟି କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବିଡ଼ିଓଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି। ଅପରପକ୍ଷେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ଓ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ବ୍ୟବସ୍ଥା କରାଯିବା ଲାଗି ବିଡ଼ିଓ ଶ୍ରୀମତି ବେହେରାଙ୍କ ଉପସ୍ଥିତିରେ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହିତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଉଭୟ ପଞ୍ଚାୟତର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସୁରକ୍ଷା ସହ ଅଞ୍ଚଳ ସଂଯୁକ୍ତ ରାସ୍ତାଗୁଡ଼ିକୁ ବାରିକେଡ଼ ଦ୍ୱାରା ଆବଦ୍ଧ କରାଯିବା ସହ ଲୋକେ ଯେଭଳି ପଦାକୁ ନ ବାହାରନ୍ତି ଏବଂ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପରିଧାନ କରିବେ ବିଶେଷ କରି ସରକାରୀ କୋଭିଡ଼ କଟକଣାକୁ କିଭଳି କଡ଼ାକଡ଼ି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା। ଏପରିକି ଆବଦ୍ଧ ଘୋଷିତ ଅଞ୍ଚଳରେ ବିଡ଼ିଓ ଶ୍ରୀମତି ବେହେରା ଏବଂ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଓ କର୍ମଚାରୀଙ୍କ ସହିତ ସ୍ଥାନୀୟ ସରପଞ୍ଚମାନେ ଘରକୁ ଘର ବୁଲି ଆଜି ଏହାକୁ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା। ଏହି ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଦୁଇ ପଞ୍ଚାୟତର ଡାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଯାଇଛି। ତେବେ କରୋନା ଜନିତ ଏହି ଜରୁରୀ ପରିସ୍ଥିତିରେ ଜିଲ୍ଲାପାଳ ଶ୍ରୀ ଚୟନି ତିଗିରିଆ ପାଇଁ ନୋଡ଼ାଲ ଅଧିକାରୀ ଭାବେ ଆବଦ୍ଧ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଘୋଷଣା କରିଥିବା ବେଳେ ଅତିରିକ୍ତ ତହସିଲଦାରଙ୍କୁ ଆଇନଶୃଙ୍ଖଳା ଓ ଆବଦ୍ଧ ଅଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ସ୍ୱାସ୍ଥ୍ୟ ସେବା ଦଳଙ୍କୁ ଆବଶ୍ୟକୀୟ ସହଯୋଗର ଦାୟିତ୍ୱ ଏବଂ ବିନ୍ଧାଣିମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ କରୋନା ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱ ଏବଂ ଏହି ସମସ୍ତର ପର୍ଯ୍ୟବେକ୍ଷଣ ତଥା ଅନୁଧ୍ୟାନ ଲାଗି ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାୟିତ୍ୱ ଘୋଷଣା କରିଥିବା ଜଣାପଡ଼ିଛି।

Comments are closed.