ମାର୍ଚ୍ଚରେ +୨ ପରୀକ୍ଷା !

୧୦ ସୁଦ୍ଧା ତ୍ରୈମାସିକ ପରୀକ୍ଷା ସାରିବାକୁ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ +୨ (ଦ୍ବାଦଶ) ବାର୍ଷିକ ପରୀକ୍ଷା ମାର୍ଚ୍ଚ ମାସରେ ହୋଇପାରେ। ଏନେଇ ପରିଷଦ ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି। ତ୍ରୈମାସିକ ପରୀକ୍ଷା ସାରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି ପରିଷଦର ଉପସଚିବ। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦୁଇଟି ତ୍ରୈମାସିକ ପରୀକ୍ଷା ସରିଛି। ତୃତୀୟ ତ୍ରୈମାସିକ ତଥା ଶେଷ ପରୀକ୍ଷା ଜାନୁଆରୀ ୧୦ ସୁଦ୍ଧା ‌ଶେଷ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ସମସ୍ତ ତ୍ରୈମାସିକ ପରୀକ୍ଷାର ଅଙ୍କ (ମାର୍କ)ଗୁଡ଼ିକୁ ସ୍ବତନ୍ତ୍ର ଟାବୁଲେସନ ରେଜିଷ୍ଟର(ପଞ୍ଜିକା)ରେ ଉଲ୍ଲେଖ କରିବାକୁ କୁହାଯାଇଛି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଦ୍ବାଦଶ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନମ୍ବର ପ୍ରଦାନ କରାଯାଇଛି। କିଛି ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ନମ୍ବର ଦିଆଯାଇନି। ଏହି ନମ୍ବର ଖୁବ୍‌ଶୀଘ୍ର ପ୍ରଦାନ କରାଯିବ। ଶିକ୍ଷାନୁଷ୍ଠାନ ସ୍ତରରେ ପ୍ରସ୍ତୁତ ହୋଇଥିବା ଟାବୁଲେସନ ପଞ୍ଜିକାରେ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ରୋଲ୍‌ ନମ୍ବର(କ୍ରମିକ ସଂଖ୍ୟା) ସହ ପରିଷଦ ପକ୍ଷରୁ ଦିଆଯାଇଥିବା ପଞ୍ଜୀକରଣ ନମ୍ବର ରହିବ। ଖୁବଶୀଘ୍ର ପରିଷଦ ପକ୍ଷରୁ ଏକ ଲିଙ୍କ ପ୍ରଦାନ କରାଯିବ। ଏହି ଲିଙ୍କ ଜରିଆରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ତ୍ରୈମାସିକ ପରୀକ୍ଷାର ମାର୍କ ଦାଖଲ(ଅପଲୋଡ୍‌) କରିପାରିବେ। ମାର୍ଚ୍ଚରେ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ହୋଇପାରେ। ଏନେଇ ପରିଷଦ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

Comments are closed.