+୨ ପରୀକ୍ଷାର ଭବିଷ୍ୟତ ଆଜି

ଭୁବନେଶ୍ୱର: ଦୁଇ କେନ୍ଦ୍ରୀୟ ପରିଷଦ ପକ୍ଷରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମଙ୍ଗଳବାର ବାତିଲ କରାଯାଇଥିଲା। ତେବେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ହେବ କି ନାହିଁ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ ସରକାର ତର୍ଜମା କରୁଥିବା ଜଣାପଡ଼ିଛି। ବୁଧବାର ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ସଂକ୍ରାନ୍ତରେ ତର୍ଜମା କରାଯାଇଥିବାବେଳେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ତେବେ ଦୁଇ କେନ୍ଦ୍ରୀୟ ପରିଷଦର ନିଷ୍ପତ୍ତି ପରେ ରାଜ୍ୟ ପରିଷଦର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ଅଭିଭାବକ ପରୀକ୍ଷାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବାବେଳେ ସରକାର ତୁରନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଦୁଇଟି ପୃଥକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗର ପ୍ରମୁଖ ଶାସନ ସଚିବ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷଙ୍କ ସମେତ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ। ପରୀକ୍ଷା ସଂକ୍ରାନ୍ତରେ ବୈଠକରେ ତର୍ଜମା କରାଯାଇଥିଲା।

ଦୁଇ କେନ୍ଦ୍ରୀୟ ପରିଷଦର ନିଷ୍ପତ୍ତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ପରୀକ୍ଷା ବାତିଲ କରାଗଲେ କିଭଳି ମୂଲ୍ୟାୟନ କରାଯିବ ସେନେଇ ଚର୍ଚ୍ଚା ହୋଇଥିଲା। କେନ୍ଦ୍ରୀୟ ପରିଷଦ ଭଳି ରାଜ୍ୟରେ ଇଣ୍ଟରନାଲ ପରୀକ୍ଷା ଓ ମାର୍କ ନଥିବାରୁ କିଭଳି ମୂଲ୍ୟାୟନ ହେବ ତାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ରାଜ୍ୟରେ କେତେ ଯୋଗ୍ୟ ବିଦ୍ୟାର୍ଥୀ ପରୀକ୍ଷା ଦେବେ ଓ କେଉଁ ପାଠ୍ୟକ୍ରମରେ କେତେ ବିଦ୍ୟାର୍ଥୀ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ପରୀକ୍ଷା ବାତିଲ କରାଗଲେ ଦଶମ ମାର୍କ କି ଯୁକ୍ତ ଦୁଇ ପ୍ରଥମ ବର୍ଷ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ ସେନେଇ ତର୍ଜମା ହୋଇଥିଲା। ପରିଷଦ ପକ୍ଷରୁ ମୂଲ୍ୟାୟନ ବିକଳ୍ପ, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ପରୀକ୍ଷା ପାଇଁ ହୋଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ବନ୍ଧରେ ତଥ୍ୟ ଦିଆଯାଇଥିଲା। ରାଜ୍ୟରେ ଯଦି ପରୀକ୍ଷା କରାଯାଏ ତେବେ ପରିଷଦ କେତେ ପ୍ରସ୍ତୁତ ଅଛି ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ତେବେ ବୈଠକରେ ଯୁକ୍ତ ଦୁଇ ପରୀକ୍ଷା ସମ୍ବନ୍ଧରେ ଆଲୋଚନା କରାଯାଇଥିବାବେଳେ ବୁଧବାର କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ଆସନ୍ତାକାଲି (ଗୁରୁବାର) ପୁନର୍ବାର ବରିଷ୍ଠ ପଦାଧିକାରୀଙ୍କୁ ନେଇ ବୈଠକ କରାଯିବ। ଏହି ବୈଠକ ପରେ ପରୀକ୍ଷା ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତାକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ସଂକ୍ରାନ୍ତରେ ଘୋଷଣା କରାଯିବାର ସମ୍ଭାବନା ରହିଛି।

Comments are closed.