+୨ ପ୍ରାକ୍ଟିକାଲ୍‌ ୨୮ରୁ : ଅନ୍‌ଲାଇନ୍‌ରେ ମିଳିବ ଆଡ୍‌ମିଟ୍‌ କାର୍ଡ

0

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପ୍ରାକ୍ଟିକାଲ୍‌ ପରୀକ୍ଷା ଜାନୁଆରୀ ୨୮ରୁ ଫେବୃଆରୀ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଫେବୃଆରୀ ୨୪ରୁ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍ କାର୍ଡ ମିଳିବ। ଛାତ୍ରଛାତ୍ରୀ ନିଜ ନାମ, ରେଜିଷ୍ଟ୍ରେସନ୍‌ ନମ୍ବର ଓ ଜନ୍ମତାରିଖ ଲେଖି​‌ପରୀକ୍ଷା ପାଇଁ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜାନୁଆରୀ ୨୬ ଶନିବାର ସାଧାରଣତନ୍ତ୍ର ଦିବସ ଓ ୨୭ ରବିବାର ଛୁଟି ଥିବାରୁ ପରିଷଦ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସିଏଚ୍‌ଏସ୍‌ଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ସୁନ୍ଦରଲାଲ୍‌ ସିଲ୍‌ କହିଛନ୍ତି ଯେ ସବୁ କେନ୍ଦ୍ରରେ ସିସିଟିଭି ଲଗାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ କେନ୍ଦ୍ରରେ ସିସିଟିଭି ନଥିବ ସେଠାରେ ପରୀକ୍ଷା କରାଯିବ ନାହିଁ। ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, କଟକ ରେଭେନ୍ସା ମହାବିଦ୍ୟାଳୟ ଏବଂ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ କଲେଜ ଚାଲୁଥିବାରୁ ସେସବୁ ପରୀକ୍ଷା କେନ୍ଦ୍ରରେ ଅସ୍ଥାୟୀ ସିସିଟିଭି ସ୍ଥାପନ ପାଇଁ କୁହାଯାଇଛି। କପି ଓ ପ୍ରଶ୍ନପତ୍ର ଭାଇରାଲ୍‌ ରୋକିବାକୁ କେନ୍ଦ୍ର ପରିସରରେ ପରୀକ୍ଷାର୍ଥୀଙ୍କ ସମେତ କେନ୍ଦ୍ର ଅଧୀକ୍ଷକ, ନିରୀକ୍ଷକ, ପର୍ଯ୍ୟବେକ୍ଷକ ପ୍ରମୁଖ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍‌ ଫୋନ୍‌ ନେବାକୁ ନିଷେଧ କରାଯାଇଛି। ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବବର୍ଷ ଭଳି ଜିଲାପାଳ ଓ ଏସ୍‌ପି ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ତଦାରଖ କରିବେ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟର ବାର୍ଷିକ ପରୀକ୍ଷା ୧୦୯୧ କେନ୍ଦ୍ରରେ ଅନୁଷ୍ଠିତ ହେବ ଏବଂ ଏଥିରେ ୩ଲକ୍ଷ ୬୭ହଜାର ୫୦୦ଛାତ୍ରଛାତ୍ରୀ ପରୀକ୍ଷାଦେବେ। ସେଥିମଧ୍ୟରୁ ସର୍ବାଧିକ କଳାରେ ୨ଲକ୍ଷ ୩୪ହଜାର, ବିଜ୍ଞାନରେ ୯୦ହଜାର, ବାଣିଜ୍ୟରେ ୨୭,୫୦୦ ଏବଂ ଧନ୍ଦାମୂଳକ ଶିକ୍ଷାରେ ୭,୫୦୦ଜଣ ପରୀକ୍ଷାର୍ଥୀ ରହିଛନ୍ତି। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣି ବିଜ୍ଞାନ, ଇଲେକ୍‌ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି, କମ୍ପ୍ୟୁଟର ଆପ୍ଲିକେସନ୍, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ, ଶିକ୍ଷା, ବୈଷୟିକ ପ୍ରଯୁକ୍ତିବିଦ୍ୟା, ମନସ୍ତତ୍ବ, ନୃତତ୍ତ୍ବ, ଭାରତୀୟ ସଙ୍ଗୀତ ଓ ଗୃହ ବିଜ୍ଞାନ, ନାଟକ, ଓଡ଼ିଶୀ କଣ୍ଠସଙ୍ଗୀତ, ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତ, ଓଡ଼ିଶୀ ନୃତ୍ୟ, ଛଉ ନୃତ୍ୟ, ପଖୱାଜ, ତବଲା, ଭାଓଲିନ୍, ବଂଶୀ, ସିତାର ବିଷୟରେ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ।

Leave A Reply