+୨ ପରୀକ୍ଷାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର:ରାଜ୍ୟ ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦୁଇ କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ମଧ୍ୟ ସମାନ ପନ୍ଥା ଆପଣାଇଥିଲେ। ତେବେ ଯୁକ୍ତ ଦୁଇ ପରୀକ୍ଷା କ୍ଷେତ୍ରରେ କ’ଣ କରାଯିବ ସେନେଇ ଏଯାବତ୍‌ କୌଣସି ନିଷ୍ପତ୍ତି ନିଆଯାଇନି। ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆସନ୍ତା ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ସଂକ୍ରାନ୍ତରେ ସ୍ଥିତି ସମୀକ୍ଷା କରାଯିବ। ଏଥିରେ ରାଜ୍ୟରେ କ’ଣ କରାଯିବ ସେନେଇ ନିଷ୍ପତ୍ତି ହେବ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ବୋର୍ଡ ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁକରଣ କରିବେ। ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଅଧିକ ଗୁରୁତ୍ବ ବହନ କରୁଥିବାରୁ ଏହାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇଛନ୍ତି। କେନ୍ଦ୍ରୀୟ ବୋର୍ଡ ପରୀକ୍ଷା ପାଇଁ ନିଷ୍ପତ୍ତି କଲେ ରାଜ୍ୟରେ ମଧ୍ୟ ପରୀକ୍ଷା କରାଯିବ। ତେବେ ରାଜ୍ୟରେ ପ୍ରାୟ ୩ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ବିଦ୍ୟାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଥିବାରୁ କିଭଳି ପରୀକ୍ଷା କରାଯିବ ସେନେଇ ବିଭାଗର ଚିନ୍ତା ବଢିବାରେ ଲାଗିଛି। ତେବେ ଯଦି ପରୀକ୍ଷାକୁ ବାତିଲ କରାଯିବ କ’ଣ ବିକଳ୍ପ ପନ୍ଥା ଆପଣାଯିବ ସେନେଇ ମଧ୍ୟ ବିଚାରବିମର୍ଶ କରାଯାଉଛି।

ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପରୀକ୍ଷା କରିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ବଡ଼ ଆହ୍ବାନ ପାଲଟିଛି। ଆସନ୍ତାମାସରେ ପରୀକ୍ଷା ସଂକ୍ରାନ୍ତରେ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ପରୀକ୍ଷାର ଅନ୍ତତଃ ପକ୍ଷେ ୧୫ ଦିନ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରିବ ପରିଷଦ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା କରାଯିବ। ପ୍ରତିକୂଳ ପରିସ୍ଥିତିକୁ ନେଇ ବୈଠକରେ ତର୍ଜମା କରାଯିବ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Comments are closed.