ନଦୀରେ ହାଇୱା ଖସିବା ଘଟଣା: ଉଦ୍ଧାର ହେଲା ୨ ଯୁବକଙ୍କ ମୃତଦେହ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ଇବ୍ ସେତୁ ବାଡ଼ରେ ଧକ୍କା ହୋଇ ଇବ ନଦୀ ପାଣିକୁ ଏକ ହାଇୱା ଖସିଯିବା ଫଳରେ ନିଖୋଜ ୨ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି ।   ମୃତକ ଦୁଇ ଜଣ ହେଲେ ରମ୍ପେଲା ପଞ୍ଚାୟତ ଅନ୍ତର୍ଗତ ବରକାନୀପାଲି ଗ୍ରାମର ଯତିନ ପଧାନ (୨୩) ଓ ଅରବିନ୍ଦ ସାହୁ (ଓରଫ ପପୁ) (୧୯)। ତେବେ ହାଇୱା ଚଳାଉଥିବା ସେହି ଗ୍ରାମର ଗ୍ରାମର ଆଶୁତୋଷ (ଓରଫ ଆଦିତ୍ୟ) ସାହୁ (୨୪) ଗୁରୁତର ଆହତ ହୋଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।
ସୂଚନାରୁ ପ୍ରକାଶ ଯେ, ମଙ୍ଗଳବାର ଏକ ହାଇୱା (ଓଡ଼ି୨୩ କେ ୧୫୪୭) ସମ୍ବଲପୁର ରେଙ୍ଗାଲି ପଟରୁ ବ୍ରିଜ ଉପରଦେଇ ବନହରପାଲି ଅଭିମୁଖେ ଆସୁଥିଲା। ଅପରାହ୍ନ ପ୍ରାୟ ୧ଟା ୩୦ମିନିଟରେ ରମ୍ପେଲା ଇବ୍ ସେତୁର ମଧ୍ୟ ଭାଗରେ ପାଣିରେ ବୁଡ଼ି ରହିଥିବା ମନ୍ଦିର ନିକଟରେ କୌଣସି କାରଣରୁ ସନ୍ତୁଳନ ହରାଇ ସେତୁର ବାଡ଼ ଭାଙ୍ଗି ଇବ୍ ନଦୀରେ ଖସିପଡ଼ିଥିଲା। ଏବେ ନଦୀରେ ବହୁତ ପାଣି ପ୍ରବାହିତ ହେଉଥିବା ଯୋଗୁଁ ହାଇୱାଟି ପାଣିରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ିଯାଇଥିଲା। ଆଦିତ୍ୟ ଜୀବନ ଆକୁଳରେ କୌଣସି ଉପାୟରେ ହାଇୱାରୁ ବାହାରି ପାଣିରେ ପହଁରି ନଦୀର ହିଡ଼କୁ ଯିବା ପାଇଁ ପ୍ରୟାସ କରୁଥିଲେ। କେତେକ ସ୍ଥାନୀୟ ମତ୍ସ୍ୟଜୀବୀ ଏହାଦେଖି ତୁରନ୍ତ ମାଛମରା ଡଙ୍ଗା ନେଇଆସି ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପାଣିରୁ ଉଦ୍ଧାର କରିଥିଲେ। ଖବର ପାଇ ବନହରପାଲି ପୁଲିସ ଓ କୁମ୍ଭାରବନ୍ଧ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗୁରୁତର ଆଦିତ୍ୟଙ୍କୁ ପୁଲିସ ଗାଡ଼ିରେ ପ୍ରଥମେ ବେଲପାହାଡ଼ ଟିଆରଏଲ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅଧିକ ଚିକିତ୍ସା ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ସେଠାରେ ଚିକିତ୍ସା ଜାରି ରହିଛି। ଅପରପକ୍ଷରେ ହାଇୱାରେ ଥିବା ଅନ୍ୟ ଦୁଇ ଯୁବକଙ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନଥିଲା। ପୁଲିସ ତୁରନ୍ତ ଆପାତକାଳୀନ ମୁକାବିଲା ପାଇଁ ଜିଲା ଓଡ୍ରାଫ ଦଳ ଓ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିବା ପରେ ସମ୍ପୃକ୍ତ ଜବାନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୨ ଘ​‌ଣ୍ଟା ପରିଶ୍ରମ ପରେ ପ୍ରଥମେ ଅରବିନ୍ଦ ଓ ପରେ ଜତିନଙ୍କ ମୃତ ଦେହକୁ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରେ ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦିଲୀପ ଦାଶଙ୍କ ସମେତ ସୁରକ୍ଷା ଦୃଷ୍ଟିରୁ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ଏନେଇ ବନହରପାଲି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଉଭୟ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ପୁଲିସ ପ୍ରକାଶ କରିଛି। ମୃତ ଯୁବକଙ୍କ କ୍ଷତିପୂରଣ ଦାବି ନେଇ ଘଟଣା ସ୍ଥଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିବା ବେଳେ ତହସିଲଦାର ଶ୍ରୀ ପାଣ୍ଡେ ଓ ପୁଲିସ ପ୍ରଶାସନ ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ସରକାରଙ୍କ ନିୟମ ଅନୁସାରେ ସମସ୍ତ ରିପୋର୍ଟ ପ୍ରଦାନ କରାଯାଇ ମୃତ ଉଭୟ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବା ଦିଗରେ ପ୍ରତିଶୃତି ଦେବା ପରେ ଲୋକେ ଶାନ୍ତ ହୋଇଥିଲେ।

Comments are closed.