ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲା ପାଟଣାଗଡ଼ ନିକଟ ତାମିଆ-ମୁଦାଲସର ମଝିରେ ସୁକତେଲ ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି। ଫଳରେ ପୋଲ ତଳେ ଚାପି ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିମ୍ନମାନର କାମ ଯୋଗୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ନିର୍ମାଣାଧୀନ ପୋଲର ୨ଟି ଫେଜ୍ ଦୁର୍ବଳ ଥିଲା। ଆରଡବ୍ଲୁଡିର ୩ ଜଣିଆ ଟିମ୍ ଆସି ଅନୁଧ୍ୟାନ କରିବା ପରେ ମୁଖ୍ୟ ଯନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିଲେ। ଏହା ପରେ ଆର. କେ. ଅଗ୍ରୱାଲ ଠିକା ସଂସ୍ଥା ପକ୍ଷରୁ ଏହାର ମରାମତି ଆରମ୍ଭ କରିଥିଲା। ଲକଡାଉନ ଯୋଗୁ କାମ ବନ୍ଦ ଥିଲା। ବୁଧବାର ମରାମତି କାମ ଚାଲିଥିବାବେଳେ ସକାଳ ୧୦ଟା ବେଳେ ୨ଟି ଫେଜ୍ ଉପରେ ଛିଡ଼ା ହୋଇଥିବା ପୋଲର ଛାତ ଭୁଶୁଡ଼ି ପଡ଼ିଥିଲା। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନିଆଯାଇଛି।