ଭୁବନେଶ୍ବରର ଦୁଇ ଡିଜାଇନରଙ୍କୁ ଅପହରଣ ସହ ୩୦ ଲକ୍ଷ ବଟି ଦାବି, ଥାନାରେ ମାମଲା

ଗୋପାଳପୁର : ଭୁବନେଶ୍ବରର ଦୁଇ ଡିଜାଇନରଙ୍କ  ଆଖିରେ ଲଙ୍କାଗୁଣ୍ଡ ପକାଇ ଅପହରଣ ସହ ୩୦ ଲକ୍ଷ ଟଙ୍କା ବଟି ଦାବି ନେଇ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ଲଉଡିଗାଁ ଠାରେ ନିର୍ମିତ ହେଉଥିବା ଆଇଜର କୋଠାରେ ଡିଜାଇନର କାମ ନିମନ୍ତେ ଏକ ଫୋନ କଲ ପାଇ  ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ଦୁଇ ଡିଜାଇନର ଦିବ୍ୟସ୍ମୃତି ସାହୁ ଓ ତାଙ୍କ ସାଙ୍ଗ ସେଖ ସେହେନେବାଜ ଗତ ୩ ତାରିଖରେ ନିଜର କାର ଯୋଗେ ଭୁବନେଶ୍ବରରୁ ବାହାରିବା ପରେ ସନ୍ଧ୍ୟା ସମୟରେ ଲଉଡିଗାଁ ରାସ୍ତାରେ ଷୋଳାବିନ୍ଧା ଛକରେ ୫ ଜଣ ଯୁବକ ହଠାତ କାର ନିକଟକୁ ଆସି ଉଭୟଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହ କାରରେ ଉଭୟଙ୍କୁ ଅପହରଣ କରି ନେଇଥିଲେ। ଅପହରଣ ପରେ ଯୁବକ ମାନେ ରାତି ତମାମ ଅସିକା, ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ସ୍ଥାନ ବୁଲାଇବା ସହ ୩୦ ଲକ୍ଷ ଟଙ୍କା ବଟି ଦେବାକୁ ଦାବି କରିଥିଲେ। ଏହା ସହ ଉଭୟଙ୍କ ନିକଟରେ ଥିବା ବିଭିନ୍ନ କାଗଜପତ୍ର ସମେତ ମୋବାଇଲ ଫୋନ, ଆଇପଡ ସହ ଏଟିଏମ ପ୍ରଭୃତି ସାମଗ୍ରୀ ନେଇ ଯାଇଥିଲେ। ଗତ ୪ ତାରିଖ ସକାଳ ସମୟରେ କାରଟି ବ୍ରହ୍ମପୁର ଗେଟ ବଜାର ଅଞ୍ଚଳ ଦେଇ ଆଗକୁ ଯିବା ସମୟରେ କୈଶଳ କ୍ରମେ ଉଭୟ କାରରରୁ ଖସି ଯିବାରେ ସକ୍ଷମ ସକ୍ଷମ ହୋଇଥିଲେ । ଘଟଣା ପରେ ଗୋଳନ୍ଥରା ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ୪ ତାରିଖ ସନ୍ଧ୍ୟା ଲୁଟ ହୋଇଥିବା କାରକୁ ଅନ୍ଧପସରା ରୋଡରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟ ପଟେ ଦିବ୍ୟସ୍ମୃତି ଓ ସେହେନବାଜକୁ ଆଇଜରରୁ କିଏ ଫୋନ କରିଥିଲେ, ତାହା ମଧ୍ୟ ସଠିକ ଭାବେ ଉଭୟ ପୁଲିସକୁ ସୂଚନା ଦେଇ ପାରୁନଥିବା ଜଣାପଡିଛି । ପୁଲିସ ପକ୍ଷରୁ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ଉଭୟ ଯୁବକଙ୍କ ଫୋନକୁ ଟ୍ରାକିଂ କରାଯାଉଥିବା ବେଳେ କେତେକ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରାଯାଉଥିବା ଜଣାପଡିଛି ।

Comments are closed.