ପେଟପାଟଣା ପାଇଁ ନାବାଳକ ଭାଇ-ଭଉଣୀ ବିକୁଥିଲେ ଛତୁ; ସ୍କୋର୍ପିଓ ଚାପରେ ଚାଲିଗଲା ଜୀବନ

ଅନୁଗୋଳ: ଘରକୁ ଦି’ ପଇସା ନେବା ଓ ପରିବାର ଖର୍ଚ ଉଠାଇବାକୁ ଜଙ୍ଗଲରୁ ଛତୁ ଗୋଟାଇ ରାସ୍ତା କଡ଼ରେ ବିକିବା ପାଇଁ ବାହାରିଥିଲେ ଭାଇ ଭଉଣୀ । ଜଙ୍ଗଲରୁ ଛତୁ ତୋଳିଥିଲେ, ତାହାକୁ ଆଣି ରାସ୍ତା କଡ଼ରେ ବିକ୍ରି ପାଇଁ ବସିଥି​‌ଲେ । ହେଲେ ସେମାନେ ଆଉ ଯେ ଘରକୁ ଫେରି ପାରିବେ ନାହିଁ ତାହା କଣ କେବେ ଭାବିଥିଲେ ? ରାସ୍ତାରେ ଯାଉଥିବା ଯନ୍ତ୍ର ଦାନବ ସେମାନଙ୍କ ଜୀବନ ନେଇଯିବ ସେ କଥା କଣ ଚିନ୍ତା କରିଥିଲେ ?

ଘଟଣାଟି ରାଇଝରଣ ନିକଟରେ ଘଟିଛି । ଦେବଗଡ଼ ଆଡ଼କୁ ଅନୁଗୋଳ ଆଡ଼ୁ ଯାଉଥିବା ଏକ ସ୍କୋର୍ପିଓ ରାସ୍ତା କଡ଼ରେ ଛତୁ ବିକୁଥିବା ଦୁଇ ଶିଶୁ ନୁହୁରୁ ବେହେରା (୧୦) ଓ ତାଙ୍କ ଭଉଣୀ ବୈଶାଖୀ ବେହେରା (୮)ଙ୍କ ଉପରେ ଏକ ମାଡ଼ି ଯିବାରୁ ସେମାନଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ଆରତୀ ନାମ୍ନୀ ଆଉ ଗୋଟିଏ ନାବାଳିକା ମଧ୍ୟ ଆହତ ହୋଇଛନ୍ତି ।

ରାଇଝରଣ ସୀତରା ସାହିର ନିରାକାର ବେହେରାଙ୍କ ପୁଅ ଓ ଝିଅ ହେଉଛନ୍ତି ନୁହୁରୁ ଓ ବୈଶାଖୀ ।  ଏହି ଘଟଣା ଶୁଣିବା ପରେ ନିରାକାରଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଛି ଆକାଶ । ଦୁଇ ଛୁଆଙ୍କୁ ହରାଇ ନିରାକାରଙ୍କ ପରିବାର ଲୁହ ଓ କୋହରେ ଭାସୁଛି। ଅନ୍ୟପକ୍ଷରେ ଦୁଇ ଶିଶୁଙ୍କ ଉପରେ ଗାଡ଼ି ମାଡ଼ିଯିବା ପରେ ସ୍କୋର୍ପିଓଟି ଏକ ମହୁଲ ଗଛକୁ ଧକ୍କା ଦେଇ ଜଙ୍ଗଲ ମଧ୍ୟକୁ ଓଲଟି ପଡ଼ିଛି । ତେବେ ସ୍କୋର୍ପିଓ ମଧ୍ୟରେ ଥିବା ଯାତ୍ରୀମାନଙ୍କର କିଛି କ୍ଷତି ଘଟିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି । ଦୁଇ ଶିଶୁଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

Comments are closed.