ବଲାଙ୍ଗିର ହାଲ ବେହାଲ – ୨ ଦିନିଆ ବନ୍ଦ ଡାକରା ଦେଲେ ବିଭିନ୍ନ ସଙ୍ଗଠନ

ବଲାଙ୍ଗିର: ବଲାଙ୍ଗିର ଜିଲାର ପ୍ରମୁଖ ଦାବି ଗୁଡିକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟ ସରକାର ଧ୍ୟାନ ଦେଉନଥିବା ବେଳେ ଜିଲା ପ୍ରତି ବୈମାତୃକ ଅବହେଳା କରୁଥିବା ଅଭିଯୋଗ ହେଉଛି। ବଲାଙ୍ଗିର ଜିଲାର ହକ ତଥା ବିଭିନ୍ନ ଜରୁରୀ ଓ ବିକାଶ ମୂଳକ ପ୍ରକଳ୍ପକୁ ଅଧପନ୍ତରିଆ କରି ଛାଡି ଦେଇଛନ୍ତି। ଏହା ବିରୋଧରେ ପୁଣି ଜିଲାର ବିଭିନ୍ନ ସାମାଜିକ ସଙ୍ଗଠନ ଏକ ହୋଇ ଲଢେଇ କରିବାକୁ ଅଣ୍ଟା ଭିଡିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ଜିଲା ଓକିଲ ସଂଘର ସମ୍ମିଳନୀ କକ୍ଷ ଠାରେ ଏକ ଜରୁରୀ ବୈଠକ ହୋଇଥିଲା। ଏଥିରେ ଜିଲା ଓକିଲ ସଂଘ ସଭାପତି ପ୍ରମୋଦ କୁମାର ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ବୈଠକ ବସିଥିଲା। ଚଳିତ ମାସ ୧୮ ଓ ୧୯ ତାରିଖରେ ମହାବନ୍ଦ ପାଳନ କରିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ଜିଲା ଓକିଲ ସଂଘ ତଥା ଓକିଲମାନଙ୍କ ନାରେ ମାମଲା ରୁଜୁ ହୋଇଥିବା ଯୋଗୁଁ ସିଧାସଲଖ ସାମିଲ ହେବ ନାହିଁ। ତେବେ ବ୍ୟକ୍ତିଗତ ଭାବେ କେହି ଗଲେ କାହାକୁ ମନା କରାଯାଇପାରିବ ନାହିଁ ବୋଲି ସଂଘ କହିଛି।

ବର୍ତ୍ତମାନ ଜିଲାର ୩ଟି ପ୍ରମୁଖ ଦାବି ମଧ୍ୟରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ, ବଲାଙ୍ଗିର ବାଇପାସ ରାସ୍ତା ଓ ଲୋୟର ସୁକତେଲ ପ୍ରକଳ୍ପ ସମ୍ପୁର୍ଣ୍ଣ କରିବାକୁ ମୁଖ୍ୟ ଦାବି ରହିଛି। ଏଥିରେ ବଲାଙ୍ଗିର ନାଗରିକ କମିଟି ସଭାପତି ବିକ୍ରମାନନ୍ଦ ବହିଦାର, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ରତ, ବରିଷ୍ଠ ଓକିଲ ଅମରେନ୍ଦ୍ର ମିଶ୍ର, ଲୋଟସ ଷଡଙ୍ଗୀ, ପ୍ରଭାକର ମିଶ୍ର, ଅବଦୁଲ ଜମାଲ ଖାଁ, ଅଶୋକ ରାଉତ, ବାସୁଦେବ ରଥ, ପିତାମ୍ବର ଖମାରୀ, ଓକିଲ ସଂଘ ସାଧାରଣ ସମ୍ପାଦକ ଅମନ ନାଗ, ରଶ୍ମି ରଂଜନ ତ୍ରିପାଠୀ, ବୁଲୁ ଦାନୀ, ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବ୍ରଜ କିଶୋର ସିଂ ଭୋଇ, ଅରବିନ୍ଦାକ୍ଷ ପୂଜାରୀଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.