ପୁତ୍ର ମୋହରେ ଫସିଲେ କଂଗ୍ରେସର ୨ ମୁଖ୍ୟମନ୍ତ୍ରୀ, ନିର୍ବାଚନରେ ଦଳ ପାଇଁ ଭାରି ପଡ଼ିପାରେ !

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଏବେ ବାକି ରହିଛି। କିନ୍ତୁ ଦଳଗୁଡ଼ିକ ବୁଥ୍‌ ରିପୋର୍ଟ ଆଧାରରେ ବର୍ତ୍ତମାନଠାରୁ ଆସନଗୁଡ଼ିକର ବିଶ୍ଳେଷଣ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବୁଥ ରିପୋର୍ଟରୁ କଂଗ୍ରେସ ଜାଣିବାକୁ ପାଇଛି ଯେ, ଦୁଇଟି ରାଜ୍ୟରେ ଦଳକୁ ଆଶାଠାରୁ କମ୍‌ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନିଜ ପୁଅଙ୍କୁ ବିଜୟୀ କରିବା ଚକ୍କରରେ ଅନ୍ୟ ଆସନଗୁଡ଼ିକ ଉପରେ ଧ୍ୟାନ ଦେଇପାରିନାହାନ୍ତି। ଫଳରେ ଦୁଇଟି ଯାକ ରାଜ୍ୟରେ କଂଗ୍ରେସକୁ କମ୍‌ ଆସନ ମିଳିପାରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି।

ଉଭୟ ମୁଖ୍ୟମନ୍ତ୍ରୀଙ୍କ ପୁଅ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି। ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ନକୁଲନାଥ ଛିନ୍ଦୱାଡା ଆସନରୁ ପ୍ରାର୍ଥୀ ହୋଇଥିଲେ। ୪ର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ରେ ଏହି ଆସନରେ ଭୋଟଗ୍ରହଣ ଅନୁଷ୍ଠିତ ହୋଇଥିଲା। କିନ୍ତୁ କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଅନ୍ୟ ଆସନଗୁଡ଼ିକ ଉପରେ ରହିବା ବଦଳରେ ଛିନ୍ଦୱାଡା ଉପରେ ଅଧିକ ରହିଥିଲା। ନକୁଲନାଥଙ୍କ ବିପକ୍ଷରେ ବିଜେପି ନାଥନ ଶାହଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ନକୁଲନାଥଙ୍କୁ କଡ଼ା ଟକ୍କର ଦେଇଥିଲେ। ମୁଖ୍ୟମନ୍ତ୍ରୀ କମଲନାଥ ନିଜ ପୁଅକୁ ଏହି ଆସନରେ ୨୦୧୪ରେ କଂଗ୍ରେସକୁ ମିଳିଥିବା ଭୋଟଠାରୁ ଅଧିକ ଭୋଟରେ ବିଜୟୀ କରାଇବାକୁ ଜୋରଦାର ଉଦ୍ୟମ କରିଥିଲେ। ଏହି କାରଣରୁ ସେ ଅନ୍ୟ ଆସନଗୁଡ଼ିକ ଉପରେ ଫୋକସ୍‌ କରିପାରି ନ ଥିଲେ। ବିଜେପି ୨୦୧୪ରେ ରାଜ୍ୟରେ ୨୯ ଆସନରୁ ୨୬ ଆସନରେ ବିଜୟୀ ହୋଇଥିଲା। କଂଗ୍ରେସକୁ କେବଳ ୩ଟି ଆସନ ମିଳିଥିଲା। ଦେଶରେ ଯେତେବେଳେ ମୋଦୀ ହାୱା ସହିତ ମଧ୍ୟପ୍ରଦେଶରେ ବିଜେପି ସରକାର ଥିଲା ସେତେବେଳେ ଏହି ଫଳାଫଳ ରହିଥିଲା।

ବର୍ତ୍ତମାନ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ରହିଛି। ତେଣୁ ଏଠାରେ ଦଳ ୧୫ରୁ ୧୬ ଆସନ ହାତେଇବ ବୋଲି ଆଶା କରାଯାଉଥିଲା। ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏଭଳି ଆକଳନ ହୋଇଥିଲା। କିନ୍ତୁ ଏବେ ଦଳ ପାଖାପାଖି ୧୦ଟି ଆସନରେ ବିଜୟୀ ହେବ ବୋଲି କୁହାଯାଉଛି।

ସେହିପରି ୨୦୧୪ରେ ରାଜସ୍ଥାନରେ ବି ବିଜେପି ସମସ୍ତ ୨୫ଟି ଆସନ ଜିତି ଯାଇଥିଲା। ଏଥର ସେଠାରେ କଂଗ୍ରେସ କ୍ଷମତାକୁ ଆସିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ଏଥର ଜୋଧପୁର ଲୋକସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ ଏପ୍ରିଲ ୨୯ ଏବଂ ମେ ୬ ତାରିଖରେ ଏହି ରାଜ୍ୟରେ ଲୋକସଭା ନିର୍ବାଚନ ସମାପ୍ତ ହୋଇଛି। ଦଳୀୟ ନେତାଙ୍କ କହିବା ଅନୁସାରେ ପୂର୍ବରୁ ରାଜ୍ୟରେ କଂଗ୍ରେସ ୧୦ଟି ଆସନ ହାତେଇବ ବୋଲି ଆଶା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୩/୪ଟି କମ୍‌ ଆସନ ଦଳକୁ ମିଳିବ ବୋଲି କୁହାଯାଉଛି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବଙ୍କ ବିରୋଧରେ ବିଜେପି ସାଂସଦ ଗଜେନ୍ଦ୍ର ସିଂହ ଶେଖାୱତ ନିର୍ବାଚନ ଲଢ଼ୁଛନ୍ତି। ଉଭୟଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହୋଇଥିବା କୁହାଯାଉଛି। ୧୦୧୪ରେ ଗଜେନ୍ଦ୍ର ଏଠାରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦେ୍ରଶ କୁମାରୀଙ୍କୁ ୪ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ତେଣୁ ଏଥର ମଧ୍ୟ କଂଗ୍ରେସ ପାଇଁ ଏହି ଆସନ ହାତେଇବା କଠିନ ହୋଇପାରେ। ଉଭୟ ରାଜ୍ୟରେ ଦଳକୁ ଯଦି ଆଶା ମୁତାବକ ଫଳାଫଳ ନ ମିଳେ, ତା’ହେଲେ ଏହା ଦଳ ପାଇଁ ଭାରି ପଡ଼ିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments
Loading...